ମଳ ଦାନ କରି ରୋଜଗାର କରନ୍ତୁ କୋଟି କୋଟି ଟଙ୍କା

ଭୁବନେଶ୍ୱର, ୧୪/୦୩/୨୦୨୬: ଇନଷ୍ଟାଗ୍ରାମ ୟୁଜର @truelysimran ସେୟାର କରିଥିବା ଏକ ଭିଡିଓ ଏବେ ଲୋକଙ୍କ କୌତୁହଳକୁ ବଢ଼ାଇ ଦେଇଛି। ଏହି ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବ୍ୟକ୍ତି ନିଜର ମଳ ଦାନ କରି ବର୍ଷକୁ ପ୍ରାୟ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହି ଅଜବ କଥାଟି ଶୁଣିବାକୁ ହସଲାଗୁଥିଲେ ମଧ୍ୟ ଏହା ପଛରେ ଏକ ବୈଜ୍ଞାନିକ ପ୍ରକ୍ରିୟା ରହିଥିବା କୁହାଯାଉଛି।
ଭିଡିଓରେ ଦର୍ଶାଯାଇଛି ଯେ ଏକ ଆମେରିକୀୟ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ପ୍ରତିଥର ମଳ ଦାନ ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୪୧ ହଜାର ଟଙ୍କା ମିଳିପାରିବ। ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ଏହା କରନ୍ତି, ତେବେ ସେ ବାର୍ଷିକ କୋଟି କୋଟି ଟଙ୍କା ପାଇବାର ସୁଯୋଗ ପାଇପାରିବେ। ଏହାକୁ ‘ହ୍ୟୁମାନ୍ ମାଇକ୍ରୋବାଇଓଟା ଟ୍ରାନ୍ସପ୍ଲାଣ୍ଟ’ (FMT) ପ୍ରକ୍ରିୟା ପାଇଁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି।
ପ୍ରକୃତରେ, ସୁସ୍ଥ ବ୍ୟକ୍ତିଙ୍କ ମଳରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ବ୍ୟବହାର କରି ଅନ୍ୟ ରୋଗୀଙ୍କ ପେଟ ସମ୍ବନ୍ଧୀୟ ଜଟିଳ ରୋଗର ଚିକିତ୍ସା କରାଯାଏ। ତେବେ ଏହି ସୁବିଧା ପାଇବା ପାଇଁ ଦାନ କରୁଥିବା ବ୍ୟକ୍ତିଙ୍କୁ ଅତ୍ୟନ୍ତ ସୁସ୍ଥ ରହିବା ସହ ଅନେକ କଠିନ ସ୍ୱାସ୍ଥ୍ୟ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ। ତେଣୁ ଏହା ଶୁଣିବାକୁ ଯେତିକି ସହଜ ଲାଗୁଛି, ପ୍ରକୃତରେ ଏହାର ଚୟନ ପ୍ରକ୍ରିୟା ସେତିକି କଷ୍ଟକର।
ଏହି ଭିଡିଓଟି ଭାଇରାଲ୍ ହେବା ପରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଏ ଏହାକୁ ଏକ ବଢ଼ିଆ ରୋଜଗାରର ପନ୍ଥା କହୁଥିବା ବେଳେ କିଏ ଏହାକୁ ନେଇ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ତେବେ ବିଜ୍ଞାନ ଓ ବ୍ୟବସାୟର ଏହି ଅଜବ ମିଶ୍ରଣ ଏବେ ସୋସିଆଲ ମିଡିଆରେ ଏକ ବଡ଼ ଧମାକା କରିଛି।




