ଓଡ଼ିଶାରାଜନୀତି

ପାରାଦ୍ବୀପରୁ ଫେରିଲେ ବିଜେପି ବିଧାୟକ: ରାଜ୍ୟସଭା ଭୋଟିଂ ଆରମ୍ଭ

ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନରେ ସାମିଲ ହେବା ପାଇଁ ପାରାଦୀପର ମେ ଫେୟାର ହୋଟେଲରେ ଅବସ୍ଥାନ କରିଥିବା ଶାସକ ଦଳ ବିଜେପିର ବିଧାୟକମାନେ ଆଜି ସକାଳେ ୩ଟି ସ୍ୱତନ୍ତ୍ର ବସ୍ ଯୋଗେ ରାଜଧାନୀ ଭୁବନେଶ୍ୱରକୁ ଫେରିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଦଳୀୟ ଶୃଙ୍ଖଳା ରକ୍ଷା କରିବା ପାଇଁ ଶନିବାର ରାତିରୁ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ପାରାଦୀପର ‘ମେ ଫେୟାର’ ହୋଟେଲରେ ରହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରବିବାର ହେଲିକପ୍ଟର ଯୋଗେ ସେଠାକୁ ଯାଇ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟସଭାରୁ ଏପ୍ରିଲ ୨ ତାରିଖରେ ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ଖାଲି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ଥିବାରୁ ପ୍ରତିଯୋଗିତା ବେଶ୍ ଆଗ୍ରହଜନକ ହୋଇଛି। ବିଜେପି ପକ୍ଷରୁ ସୁଜିତ୍ କୁମାର ଓ ମନମୋହନ ସାମଲ ପ୍ରାର୍ଥୀ ହୋଇଥିବା ବେଳେ ଦିଲୀପ ରାୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ଏବଂ ବିଜେଡି-କଂଗ୍ରେସର ମିଳିତ ସମର୍ଥନରେ ଡାକ୍ତର ଦତ୍ତେଶ୍ୱର ହୋତା କମନ୍ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ନିର୍ବାଚନ ପାଇଁ ଜାରି ହୋଇଥିବା ଦଳୀୟ ହୁଇପ୍ ଯୋଗୁଁ ବିଧାୟକମାନେ ଏକାଠି ରହିଥିବା ବେଳେ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା। ପାରାଦ୍ବୀପରେ ଥିବା ସମୟରେ କୌଣସି ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ମଧ୍ୟ ଜଗତ୍‌ସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଦଳରେ ସମ୍ପୂର୍ଣ୍ଣ ଶୃଙ୍ଖଳା ରହିଛି ଏବଂ ସମସ୍ତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଘୋଡ଼ାବେପାର ଭଳି ଆଶଙ୍କାକୁ ସେ ସିଧାସଳଖ ଏଡ଼ାଇ ଯାଇଥିଲେ।

ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାରେ ଭୋଟିଂ ପ୍ରକ୍ରିୟା ଜାରି ରହିବ। ବିଧାୟକମାନେ ନିଜର ମତାଧିକାର ସାବ୍ୟସ୍ତ କରିସାରିବା ପରେ ଅପରାହ୍ନ ୫ଟାରେ ଭୋଟ୍ ଗଣତି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଗଣତି ଶେଷ ହେବା ପରେ କେଉଁ ୪ ଜଣ ପ୍ରାର୍ଥୀ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ, ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ବିଧାନସଭା ପରିସରରେ ନିର୍ବାଚନକୁ ନେଇ ବେଶ୍ ସରଗରମ ପରିବେଶ ଦେଖିବାକୁ ମିଳୁଛି।

Related Articles

Back to top button