
ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ବାଲାଟ୍ ପେପର ପ୍ରଦାନ କରାଯିବା ଘଟଣା ଏକ ବଡ଼ ବିବାଦର ରୂପ ନେଇଛି। ସୂଚନା ଅନୁଯାୟୀ, ପ୍ରଥମ ବାଲାଟ୍ ପେପରରେ ଲେଖିବା ସମୟରେ କିଛି ତ୍ରୁଟି ହେବାରୁ ବିଧାୟିକାଙ୍କୁ ଦ୍ୱିତୀୟ ବାଲାଟ୍ ପେପର ପ୍ରଦାନ କରାଯାଇଥିଲା, ଯାହାକୁ ନେଇ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
ନବୀନ ପଟ୍ଟନାୟକ ଏହି ଘଟଣାକୁ ‘ସମ୍ବିଧାନ ବିରୋଧୀ’ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ନିୟମ ଅନୁଯାୟୀ ଜଣେ ପ୍ରତିନିଧିଙ୍କୁ ଦ୍ୱିତୀୟ ବାଲାଟ୍ ପେପର ଦେବା ସମ୍ପୂର୍ଣ୍ଣ ବେଆଇନ। ଅଫିସରମାନେ ସରକାରୀ ଚାପରେ କାମ କରି ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ନବୀନଙ୍କ ଏହି ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ବେଶ୍ ହଇଚଇ ସୃଷ୍ଟି କରିଛି।




