
ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ଏବଂ ଏଥିରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ୬ ଜଣିଆ ‘ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍’ ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏଭଳି ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟିଲା, ଏହି ଟିମ୍ ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ।
ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ବିଭାଗର ଆଇଜି ଡଃ ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଶ୍ରୀ ବରଦା ପ୍ରସନ୍ନ ଦାଶ, ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଚିଫ୍ ଇଞ୍ଜିନିୟର (ବିଲ୍ଡିଂ) ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏବଂ ଡିଏମଇଟି (DMET) ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଅନ୍ତର୍ଭୁକ୍ତ ଅଛନ୍ତି। ବିଭିନ୍ନ ବିଭାଗର ଏହି ବିଶେଷଜ୍ଞମାନେ ମିଳିତ ଭାବେ ଘଟଣାର ବୈଷୟିକ ଓ ପ୍ରଶାସନିକ ଦିଗର ତଦନ୍ତ କରିବେ।
ନିର୍ଦ୍ଦେଶ ଅନୁଯାୟୀ, ଏହି କମିଟି ତୁରନ୍ତ ଏସସିବି ମେଡିକାଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ଏବଂ ଆଜି ସନ୍ଧ୍ୟା ସୁଦ୍ଧା ନିଜର ପ୍ରାଥମିକ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବେ। ଏହି ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅଗ୍ନିକାଣ୍ଡ ପାଇଁ ଦାୟୀ ବ୍ୟକ୍ତି ବା ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି।




