ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ: ଏୟାର ଷ୍ଟ୍ରାଇକରେ ଲାରିଜାନି ମୃତ

ତେହେରାନ/ତେଲ୍ ଆଭିଭ୍, ୧୮ ମାର୍ଚ୍ଚ ୨୦୨୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି। ବିଗତ ୧୯ ଦିନ ଧରି ଜାରି ରହିଥିବା ଏହି ରକ୍ତକ୍ଷୟୀ ସଂଗ୍ରାମ ମଧ୍ୟରେ ଇରାନକୁ ଲାଗିଛି ଆଉ ଏକ ଶକ୍ତ ଝଟକା। ଇସ୍ରାଏଲ ସେନାର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକରେ ଇରାନର ସୁରକ୍ଷା ମୁଖ୍ୟ ତଥା ପ୍ରଭାବଶାଳୀ ନେତା ଅଲ୍ଲୀ ଲାରିଜାନି ନିପାତ ହୋଇଛନ୍ତି। ୬୮ ବର୍ଷୀୟ ଲାରିଜାନିଙ୍କୁ ଇରାନର ସୁପ୍ରିମୋ ଲିଡରଙ୍କ ‘ଡାହାଣ ହାତ’ ବୋଲି କୁହାଯାଉଥିଲା। ସେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଜଣେ ପ୍ରମୁଖ ସ୍ତମ୍ଭ ଥିଲେ। ପୂର୍ବତନ ସୁପ୍ରିମୋ ଲିଡର ଆୟୋତଲ୍ଲା ଖାମନେଇଙ୍କ ମୃତ୍ୟୁ ପରେ ନୂଆ ନେତା ମୋଜତାବା ଖାମନେଇ ବ୍ୟାକଫୁଟରେ ରହି ଯୁଦ୍ଧ ପରିଚାଳନା କରୁଥିବା ବେଳେ, ଲାରିଜାନି ହିଁ ଫ୍ରଣ୍ଟଫୁଟରେ ରହି ଇସ୍ରାଏଲ ଓ ଆମେରିକା ଆଖିରେ ଆଖି ମିଶାଇ ଯୁଦ୍ଧର ମଙ୍ଗ ଧରିଥିଲେ।
ଇସ୍ରାଏଲ ସେନା ପକ୍ଷରୁ ତେହେରାନ ଉପରେ ହୋଇଥିବା ଘନ ଘନ ମିସାଇଲ ଓ ଡ୍ରୋନ ମାଡ଼ରେ ଲାରିଜାନିଙ୍କ ମୃତ୍ୟୁ ଘଟିଥିବା ଏବେ ସ୍ପଷ୍ଟ ହୋଇଛି। ଲାରିଜାନି ଇରାନ ଯୁଦ୍ଧର ମୁଖ୍ୟ ଚେହେରା ଥିଲେ ଏବଂ ମୋଜତାବାଙ୍କ ପ୍ରତ୍ୟେକ ନିର୍ଦ୍ଦେଶକୁ ସେ ହିଁ କାର୍ଯ୍ୟକାରୀ କରୁଥିଲେ। ତାଙ୍କର ମୃତ୍ୟୁ ଇରାନ ସାମରିକ ଶକ୍ତି ପାଇଁ ଏକ ଅପୂରଣୀୟ କ୍ଷତି ସାବ୍ୟସ୍ତ ହୋଇଛି। ଏହି ସଫଳତା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆହୁରି ରକ୍ତମୁଖା ହୋଇପଡ଼ିଛନ୍ତି। ଲାରିଜାନିଙ୍କ ପରେ ଏବେ ମୋଜତାବାଙ୍କ ପାଳି ବୋଲି ସେ ଖୋଲାଖୋଲି ଧମକ ଦେଇଛନ୍ତି। ମୋଜତାବା ଖାମନେଇ ବିଶ୍ୱର ଯେଉଁ କୋଣରେ ଲୁଚି ରହିଲେ ମଧ୍ୟ ଇସ୍ରାଏଲ ସେନା ତାଙ୍କୁ ଖୋଜି ଖୋଜି ମାରିବ ବୋଲି ନେତାନ୍ୟାହୁ ଶପଥ କରିଛନ୍ତି।
ଅନ୍ୟପଟେ, ନିଜର ପ୍ରମୁଖ ଯୁଦ୍ଧ ସାରଥିଙ୍କୁ ହରାଇବା ପରେ ଇରାନ ଏବେ ପ୍ରତିଶୋଧ ନିଆଁରେ ଜଳୁଛି। ଖାମନେଇଙ୍କ ମୃତ୍ୟୁ ପରେ ଇରାନ ସେନା ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଛି। ସମଗ୍ର ତେହେରାନରେ ଏବେ ଯୁଦ୍ଧର ଭୟାବହତା ଦେଖିବାକୁ ମିଳୁଥିବା ବେଳେ, ଇରାନ ଏହାର ପାଲଟା ଜବାବ କିଭଳି ଦେଉଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି। ମଧ୍ୟପ୍ରାଚ୍ୟରେ ଲାଗିଥିବା ଏହି ନିଆଁ ଏବେ ବିଶ୍ୱ ଯୁଦ୍ଧର ରୂପ ନେବା ଆଶଙ୍କାକୁ ଆହୁରି ତୀବ୍ର କରିଦେଇଛି।




