ଅନ୍ତର୍ଜାତୀୟରାଜନୀତି

ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ ଆମେରିକା ମଧ୍ୟରେ ପ୍ରତିଯୋଗିତା : ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ ଆଭିମୁଖ୍ୟ ନେଇ ଆମେରିକା ତୀବ୍ର ବିରୋଧ କରି ଆସିଥିଲା । ତେବେ ଏହାମଧ୍ୟରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲୀପ ସିଂହ ଭାରତକୁ କଡ଼ା ଚେତାବନୀ ଦେଇଛନ୍ତି । ରୁଷ ଉପରେ ଆମେରିକା ଲଗାଇଥିବା କଟକଣାରୁ ଉଲ୍ଲଂଘନ କରୁଥିବା ଦେଶଗୁଡ଼ିକ ଏହାର ପରିଣାଭ ଭୋଗିବେ । ଭାରତ ଉର୍ଜା ଓ ଅନ୍ୟ ସାମଗ୍ରୀଙ୍କର ଆମଦାନୀ କ୍ଷେତ୍ରରେ ରୁଷର ଭାଗିଦାରିତା ବୃଦ୍ଧି ପାଉ ଏହା ଆମେରିକା ଚାହୁଁନାହିଁ । ଯଦି ଚୀନ ଏଲଏସି ଉଲ୍ଲଂଘନ କରି ଭାରତ ଉପରେ ଆକ୍ରମଣ କରେ, ସେ ସମୟରେ ଭାରତକୁ କିଏ ବଞ୍ଚାଇବ ବୋଲି ପ୍ରଶ୍ନ କରିଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଉଭୟ ରୁଷିଆ ଓ ଆମେରିକା ଭାରତକୁ ନିଜ ପକ୍ଷକୁ ନେବାକୁ କସରତ ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏଭଳି ସ୍ଥିତିରେ ଭାରତକୁ କୂଟନୀତିକ ସ୍ତରରେ ଅତ୍ୟନ୍ତ ସାବଧାନତାର ଆଗେଇବାକୁ ପଡ଼ିବ । ଏନେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ସୈୟଦ ଅକବରୁଦ୍ଦିନ ଟ୍ୱିଟ୍ କରିଛନ୍ତି ଯେ, ଏହା ଆମର ବନ୍ଧୁତ୍ୱର ଭାଷା, ଏହା କୂଟନୀତିର ଭାଷା ନୁହେଁ । ଏକତରଫା ଭାବେ ଦଣ୍ଡବିଧାନ ଅନ୍ତର୍ଜାତୀୟ କାନୁନର ଉଲ୍ଲଂଘନ କିପରି ହେଲା ସେ ବିଷୟରେ ମୋତେ କେହି ବୁଝାଇ ଦିଅନ୍ତୁ ।
ୟୁକ୍ରେନ ଆକ୍ରମଣ ପରେ ଆମେରିକା ରୁଷ ଉପରେ ବାରମ୍ବାର ଗର୍ଜନ କରିବାରେ ଲାଗିଛି । ରୁଷ ସହ ଭାରତର ବାଣିଜ୍ୟିକ ବୁଝାମଣା ଭବିଷ୍ୟତରେ କ୍ଷତି ସାବ୍ୟସ୍ତ ହେବ ବୋଲି ଆମେରିକା ଧମକ ଦେଇଛି । ଚୀନର ଆଳ ଦେଖାଇ ମଧ୍ୟ ଆମେରିକା ଭାରତକୁ ଧମକ ଦେବାରେ ଲାଗିଛି । ତେବେ ଭାରତରେ ପହଞ୍ଚିଥିବା ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏସ-୪୦୦ ଡିଲ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com