ଓଡ଼ିଶା

ଦାରିଙ୍ଗବାଡ଼ିରେ ଜଳାଭାବ: ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଆଦିବାସୀ

ଦାରିଙ୍ଗବାଡ଼ି, ୧୮ ମାର୍ଚ୍ଚ ୨୦୨୬: ଶୀତ ଋତୁ ବିଦାୟ ନେବା ପରେ ଗ୍ରୀଷ୍ମର ପ୍ରଭାବ ବଢ଼ିବା ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି କିରିକୁଟି ପଞ୍ଚାୟତର ଆଦିବାସୀ ଗ୍ରାମଗୁଡ଼ିକରେ ଲୋକମାନେ ବୁନ୍ଦାଏ ପିଇବା ପାଣି ପାଇଁ ନାହିଁ ନଥିବା ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ପାଇପ୍ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ନଥିବାରୁ ଗ୍ରାମବାସୀମାନେ କୂଅ, ନଳକୂପ କିମ୍ବା ଚୁଆ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି। ମାତ୍ର ବର୍ତ୍ତମାନର ସ୍ଥିତିରେ ଗ୍ରାମରେ ଥିବା ଏକମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହୋଇଛି, ଯାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।

ଗାଁ ବାହାରେ ଏକ କୂଅ ରହିଥିଲେ ମଧ୍ୟ ସେଠାକୁ ଯିବା ପାଇଁ ଦୂର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଫଳରେ ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଗୋଳିଆ ପାଣି ବ୍ୟବହାର କରିବା ଯୋଗୁଁ ଅଞ୍ଚଳରେ ଜଳବାହିତ ରୋଗ ବ୍ୟାପିବାର ଭୟ ମଧ୍ୟ ସୃଷ୍ଟି ହୋଇଛି। ପ୍ରତିବର୍ଷ ଖରାଦିନ ଆସିଲେ ଏଭଳି ସମସ୍ୟା ଉପୁଜୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଗ୍ରାମବାସୀମାନେ ପ୍ରଶାସନ ନିକଟରେ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। ନଳକୂପର ମରାମତି ସହ ଗ୍ରାମରେ ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସାଂଘାତିକ ହେବାର ଆଶଙ୍କା ରହିଛି।

 

Related Articles

Back to top button