ଅପରାଧଓଡ଼ିଶା

ବାହାରେ ଜଗିଥିଲା ପୋଲିସ, ଭିତରେ ଜୀବନ ହାରିଲେ ଯୁବକ

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ ମାର୍ଚ୍ଚ ୨୦୨୬: ପିପିଲି ଥାନା ଅଧୀନ ଗୁଡ଼ିଆପୋଖରୀ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଜଣେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ କଟକ ମଧୁପଟଣା ଅଞ୍ଚଳର ସୁଧାଂଶୁ ଶେଖର ବେହେରା। ଜଣେ ଯୁବତୀଙ୍କ ସହ ଲିଭ୍-ଇନ୍‌ରେ ରହୁଥିବା ସୁଧାଂଶୁ ପ୍ରେମ ପ୍ରତାରଣାର ଶିକାର ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆତ୍ମହତ୍ୟା କରିବା ପୂର୍ବରୁ ସୁଧାଂଶୁ ସୋସିଆଲ ମିଡିଆରେ ଏକ ଶେଷ ଭିଡିଓ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିବା ସହ “ପୋଲିସ ତାଙ୍କୁ ନ୍ୟାୟ ଦେଇପାରିବ ନାହିଁ” ବୋଲି ଅଭିଯୋଗ କରିଥିଲେ।

ପୋଲିସ ସୂଚନା ମୁତାବକ, ସୁଧାଂଶୁ ଏବଂ ପିପିଲି ଅଞ୍ଚଳର ଜଣେ ଯୁବତୀ ଦୀର୍ଘ ଦିନ ଧରି ଲିଭ୍-ଇନ୍ ସମ୍ପର୍କରେ ଥିଲେ। ମାତ୍ର ଜାନୁଆରୀ ମାସରୁ ସେମାନେ ଅଲଗା ହୋଇ ରହୁଥିଲେ। ସୁଧାଂଶୁଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରାୟ ୮ ଲକ୍ଷ ଟଙ୍କା ଠକେଇ କରିନେଇଥିଲେ। ଏହି ମାମଲାରେ ନ୍ୟାୟ ପାଇଁ ସେ ପିପିଲି ଥାନାରୁ ଶହୀଦନଗର ଥାନା ପର୍ଯ୍ୟନ୍ତ ଦୌଡ଼ି ନିରାଶ ହୋଇଥିଲେ। ଅନ୍ୟପଟେ, ଯୁବତୀ ଜଣଙ୍କ ଓଲଟା ସୁଧାଂଶୁଙ୍କ ବିରୋଧରେ ପିପିଲି ଥାନାରେ ଏକ ମାମଲା ଏବଂ ଭୁବନେଶ୍ୱର ମହିଳା ଥାନାରେ ବଳାତ୍କାର ଅଭିଯୋଗ ଆଣି ତାଙ୍କୁ ଛନ୍ଦି ଦେଇଥିଲେ।

ବୁଧବାର ସନ୍ଧ୍ୟାରେ ମହିଳା ଥାନା ପୋଲିସ ସୁଧାଂଶୁଙ୍କୁ ଗିରଫ କରିବା ପାଇଁ ଗୁଡ଼ିଆପୋଖରୀ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ପୋଲିସକୁ ଦେଖି ସୁଧାଂଶୁ ଭୟଭୀତ ହୋଇ ଘର କବାଟ କିଳି ଦେଇଥିଲେ ଏବଂ ନିଜକୁ ନିର୍ଦ୍ଦୋଶ ବୋଲି ଚିତ୍କାର କରିଥିଲେ। କିଛି ସମୟ ପରେ ପୋଲିସ କବାଟ ତାଡ଼ି ଭିତରକୁ ପ୍ରବେଶ କରିବା ବେଳକୁ ସୁଧାଂଶୁ ଫାଶ ଲଗାଇ ଆତ୍ମହତ୍ୟା କରିସାରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୯/୨୬) ରୁଜୁ କରି ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି। ପିପିଲି ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଯୁବତୀଙ୍କ ସହ ଥିବା ଆର୍ଥିକ କାରବାର ଓ ଆତ୍ମହତ୍ୟା ପୂର୍ବର ଭିଡିଓକୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଯାଉଛି।

Related Articles

Back to top button