କ୍ରୀଡ଼ା
ଫେବୃଆରୀ ୬ରୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ : ୧୯ ବର୍ଷ ହେବ ନିଜ ଘରେ ହାରି ନାହିଁ ଭାରତ

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ଖେଳାଯିବö ଭାରତ ଗସ୍ତରେ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଅହମ୍ମଦାବାଦ ପହଞ୍ଚିଛି। ଭାରତୀୟ ଦଳ ପ୍ରଥମରୁ ହିଁ ଅହମ୍ମଦାବାଦ ପହଞ୍ଚି ସାରିଛି। ପ୍ରଥମ ଦିନିକିଆ ପୂର୍ବରୁ ଦୁଇ ଟିମ୍ ଅହମ୍ମଦାବାଦରେ ଅଭ୍ୟାସ୍ କରିବେ। କିରଣ ପୋଲାର୍ଡଙ୍କ ନେତୃତ୍ଵାଧୀନ ଓ୍ଵେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ନିଜ ଦେଶରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ସକାଳେ ଅହମ୍ମଦାବାଦରେ ପହଞ୍ଚିଛି। ଇଣ୍ଡିଜ କ୍ରିକେଟ୍ ନିଜର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି। ଏଥିରେ କାରବିଆଇ ଖେଳାଳି ବିମାନ ବନ୍ଦରରେ ନଜର ଆସିଛନ୍ତି।
ଘରୋଇ ମାଟିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଦିନିକିଆ ରେକର୍ଡ ବହୁତ ଭଲ ରହିଛି। ଗତ ୧୯ ବର୍ଷ ହେବ ଦଳ ଇଣ୍ଡିଜ ବିପକ୍ଷରେ ନିଜ ଘରେ କୌଣସି ଦିନିକିଆ ସିରିଜ୍ ହାରି ନାହିଁ। ଭାରତ ଇଣ୍ଡିଜ ବିପକ୍ଷରେ ଲଗାତାର ୬ଟି ଦିନିକିଆ ସିରିଜ୍ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ନିକଟରୁ ମିଳିଥିବା ପରାଜୟକୁ ଭୁଲି ନୂତନ ଭାବେ ଆରମ୍ଭ କରିବାକୁ ଚାହିଁବ।