ଓଡ଼ିଶା
ସ୍ବାଭିମାନ ଅଂଚଳରେ ଶାନ୍ତିରେ ସରିଲା ନିର୍ବାଚନ ; ଫୁଲ,ଚନ୍ଦନ ଦେଇ ଲଞ୍ଚରେ ପୁଲିଂ ଅଧିକାରୀଙ୍କୁ ବିଦା କଲେ ଲୋକେ ନକ୍ସଲ ପ୍ରବଣ ତୋଟାଗୁଡାରେ ୧୧ଟି ଭୋଟଦାନ କେନ୍ଦ୍ର ଖୋଲାଯାଇଥିଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଦୀର୍ଘ ୧୦ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେଲା। ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତଥା ବିଏସଏଫର ମିଳିତ ଉଦ୍ୟମରେ ଏହା ସଫଳତାର ସମାପ୍ତ ହେଲା।ଯାହାର ଶ୍ରେୟ ସରକାର ମଧ୍ୟ ନେବେ।ଆଜି ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ଚିତ୍ରକୋଣ୍ଡା ବ୍ଲକରେ ରଖାଯାଇଥିଲା।ଚିତ୍ରକୋଣ୍ଡା ବ୍ଲକର ୧୮ଟିଟ ପଞ୍ଚାୟତର ୨୨୨ଟି ବୁଥରେ ମତଦାନ ହୋଇଥିଲା।ତେବେ ସବୁଠାରୁ ଏକ ସୁନ୍ଦର ମୁହର୍ତ୍ତ ଥିଲା,ଯେତେବେଳେ ସ୍ବାଭିମାନ ଅଂଚଳର ନକ୍ସଲ ପ୍ରବଣ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡାକୁ ପୁଲିଂ ଅଧିକାରୀମାନେ ଯିବାକୁ ବାହାରିଲେ।ପ୍ରକାଶ ଥାଉକି ଏହି ଅଂଚଳ ସ୍ବାଭିମାନ ଅଂଚଳର ସବୁଠାର ବିପଦପୂର୍ଣ୍ଣ ସ୍ଥାନ।ତୋଟାଗୁଡା ଗ୍ରାମରେ ୧୧ଟି ଭୋଟଦାନ କେନ୍ଦ୍ର ଖୋଲାଯାଇଥିଲା।
ମୋଟ ୪୪ ଜଣ ପୁଲିଂ ଅଧିକାରୀ ସମେତ ସୁରକ୍ଷା କର୍ମୀ ସେଠାରେ ଲଞ୍ଚ ଯୋଗେ ପହଞ୍ଚିଥିଲେ।ପ୍ରାୟ ୬୦ କିଲୋମିଟର ବାଟ ବିପଦପୂର୍ଣ୍ଣ ଜଳଯାତ୍ରା କରିଥିଲେ।ପୁଲିଂ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଯେତେବେଳେ ଲଞ୍ଚରେ ଛଡାଗଲା ତାହା ପୂର୍ବରୁ ସମସ୍ତଙ୍କୁ ଫୁଲ,ଚନ୍ଦନ ଏବଂ ନଡିଆ ମାରି ସଫଳତା କାମନା କରାଗଲା।ଯେଭଳି ଭାବେ ଏମାନେ ସୁରୁଖୁରୁରେ ଘରେ ପହଞ୍ଚିବେ ସନେଇ ପୂଜାର୍ଚ୍ଚନା କରାଗଲା।ପୁଲିଂ ଅଧିକାରୀମାନେ ମଧ୍ୟ ମନରେ ଭୟ ରହିଥିଲେ ମଧ୍ୟ ବାହାରକୁ ପ୍ରକଟ କରୁନଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ସମସ୍ତେ ଭଗବାନଙ୍କୁ ଡାକି ଲଞ୍ଚରେ ଚଢିଥିଲେ।ଦୀର୍ଘ ୬୦ କିଲୋମିଟର ବାଟ ଯିବାକୁ ଥିବାରୁ ସମସ୍ତଙ୍କ ମନରେ ଛନକା ଲାଗି ରହିଥିଲା।ଯେହେତୁ ସରକାରୀ ଚାକିରି କରୁଛନ୍ତି ,ସରକାର ଯେତେବେଳେ ବି ସେମାନଙ୍କୁ ଡ୍ୟୁଟି ପ୍ରଦାନ କରିବେ ସେମାନେ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଆମର ଯାହା ହେବ ସରାକର ବୁଝିବେ ବୋଲି କହୁଥିଲେ ।





