ଓଡ଼ିଶା

ରାତିଅଧିଆ ଚୋରା ଚାଲାଣ ହେଉଛି ମଧ୍ୟାହ୍ନ ଭୋଜନ ଚାଉଳ, ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ତେଲକୋଇ: ରାତି ଅଧିଆ ଚାଲାଣ ହେଉଛି ମଧ୍ୟାହ୍ନ ଭୋଜନ ଚାଉଳ । ପଞ୍ଚାୟତ ଯୋଗାଣ ସହାୟକ ସାଜିଛନ୍ତି ଦଲାଲ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅନ୍ତର୍ଗତ ବେଣାମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣା ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବ୍ୟାନର ଲଗାଇ କେନ୍ଦୁଝରରୁ ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଏକ ଟ୍ରକ କାଟେଣିପଶି ଆଶ୍ରମ ସ୍କୁଲକୁ ଯାଉଥିଲା ।  ବେଣାମୁଣ୍ଡା ବଜାର ନିକଟରେ ଗୋଟିଏ ଘରେ ମଧ୍ୟାହ୍ନ ଭୋଜନ ଚାଉଳକୁ ଅନଲୋଡ କରାଯାଉଥିବା ଲୋକେ ଦେଖିବାକୁ ପାଇଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ କାହା ନିର୍ଦ୍ଦେଶରେ ଏଠାରେ ଅନଲୋଡ କରାଯାଉଛି ବୋଲି ଲୋକେ ଡ୍ରାଇଭରକୁ ପଚାରିଥିଲେ । ହେଲେ ଡ୍ରାଇଭର କହିଥିଲେ ଯେ, ଯୋଗାଣ ସହାୟକଙ୍କ ନିର୍ଦ୍ଦେଶରେ ଆମେ ଏଠାରେ ଅନଲୋଡ କରୁଛୁ ।
ମଧ୍ୟାହ୍ନ ଭୋଜନ ଚାଉଳ ବଳଭଦ୍ରପୁର ପଞ୍ଚାୟତର କାଟେଣିପଶି ଆଶ୍ରମ ସ୍କୁଲକୁ ଆସିଥିଲା । ତେବେ ସ୍କୁଲକୁ ରାସ୍ତା ଥିଲେ ମଧ୍ୟ ସେଠାକୁ ଗାଡିଯିବନାହିଁ କହି ବଳଭଦ୍ରପୁର ପଞ୍ଚାୟତ ଯୋଗାଣ ସହାୟକ ବେଣାମୁଣ୍ଡା ଠାରେ ଚାଉଳକୁ ଅନଲୋଡ କରାଇଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପୁଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଛି ପଦକ୍ଷେପ ଗ୍ରହଣ କରି ଫେରି ଯାଇଥିବା ବେଳେ ଲୋକେ ଚାଉଳ ଗାଡିକୁ ରାତି ସାରା ଜଗିରହିଥିଲେ ।
 ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ,  ଫେବୃୟାରୀ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ । ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ଚାଉଳର ବ୍ୟବସ୍ଥା କରାଯାଉଥିବା ବେଳେ ଅଧା ରାସ୍ତାରୁ ଯୋଗାଣ ସହାୟକଙ୍କ ଦ୍ବାରା ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା ହେଉଛି । ଅଭିଯୋଗ ପରେ ମଧ୍ୟ ପୁଲିସ ଜାଣିଶୁଣି ଚାଉଳ କଳାବଜାରି କରୁଥିବା ଲୋକଙ୍କୁ ଘଣ୍ଟ ଘୋଡାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com