ଜାତୀୟ
ଦୀର୍ଘ ବର୍ଷର ଦାବି ହେଲା ପୂରଣ, କଣ୍ଟାବାଞ୍ଜି ସହରରୁ ଗଡ଼ିଲା ଇସ୍ପାତ ଏକ୍ସପ୍ରେସ୍

କଂଟାବାଞ୍ଜି() କଣ୍ଟାବାଞ୍ଜିବାସୀଙ୍କ ଦୀର୍ଘ ବର୍ଷ ଦାବି ହେଲା ପୂରଣ । କଣ୍ଟାବାଞ୍ଜି ସହରରୁ ଗଡ଼ିଲା ଇସ୍ପାତ ଏକ୍ସପ୍ରେସ୍ । ଦିଲ୍ଲୀ- ବମ୍ବେ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଲଖ ହାୱଡାକୁ ଗଡିଲା ଏକ୍ସପ୍ରେସ ଟ୍ରେନ । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗିତା କୁମାରି ସିଂ ଦେଓ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପ୍ରବନ୍ଧକ ପ୍ରଦୀପ କୁମାର ଉପସ୍ଥିତ ରହିଥିଲେ ।
କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଣ୍ଟାବାଞ୍ଜି ଆସିଥିଲେ । ସେହି ସମୟରେ ଜନସାଧାରଣ ସହ ବିଭିନ୍ନ ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଟିଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନ ସଂମ୍ପ୍ରସାରଣ କରିବାକୁ ଦାବି କରିଥିଲେ । କଣ୍ଟାବାଞ୍ଜିବାସୀଙ୍କ ଦାବିକୁ ଆଜି ପୂରଣ ହୋଇଥିବା ସାଂସଦ କହିଥିଲେ । ଦୀର୍ଘ ବର୍ଷ ହେବ ସହରର ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା କମିଟି, ରାଇଟ ଟୁ ଫାଇଟ, ୟୁଥ ପାୱାର ଭଳି ଅନେକ ସଂଗଠନ ଦାବି ନେଇ ରେଳ ରୋକ ସହ ଦାବିପତ୍ର ଜଣାଇଥିଲେ । ଏହା ଜନସାଧାରଣଙ୍କ ବିଜୟ , ମୁଁ ଭୁବନେଶ୍ୱର ଯାଉଥିବା ସମୟରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଇସ୍ପାତ ଏକ୍ସପ୍ରେସ କେମିତି କଂଟାବାଞ୍ଜିରୁ ଚାଲିବ ସେ ନେଇ ଦାବି କରିଥିଲି । ଆଜି ଏହି ଦାବି ପୂରଣ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ବିଧାୟକ । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ପୂର୍ବତନ ବିଧାୟକ ଆୟୁବ ଖାଁଙ୍କୁ ପ୍ରଂଶସା କରିଥିଲେ । କଂଟାବାଞ୍ଜିରେ ରେଳ ବିଭାଗର ଉନ୍ନତି ମୂଳକ କାମ ହୋଇଛି । ତେବେ ତାହା ପୂର୍ବତନ ବିଧାୟକଙ୍କ ଅବଦାନ । ସେ ସବୁ ସମୟରେ କଂଟାବାଞ୍ଜି ରେଳ ଷ୍ଟେସନର ବିକାଶ କେମିତି ହେବ ସେନେଇ କାମ କରିଛନ୍ତି ବୋଲି ନିଜ ବ୍ୟକ୍ତବରେ କହିଥିଲେ ।





