ଜାତୀୟ

ଅଗ୍ନିପଥ ଯୋଜନା ହିଂସା: ୨୨ ଟ୍ରେନ୍ ରଦ୍ଦ, ଅଗ୍ନିବୀରଙ୍କ ଭବିଷ୍ୟତ ସ୍ଥିର ବୋଲି କହିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ନେଇ ବିକ୍ଷୋଭ ଜାରି ରହିଛି। ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଛନ୍ତି। ବିହାରେ ଟ୍ରେନ୍ ପୋଡ଼ି କରିବା ସହ ଷ୍ଟେସନ୍‌ରେ ପୋଡ଼ାଜଳା କରିଛନ୍ତି। ହିଂସାକୁ ଦେଖି ବିହାରରେ ୨୨ ଟ୍ରେନ୍ ରଦ୍ଦ କରାଯାଇଛି। ଏପଟେ ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାର ଯୋଜନା ବିଷୟରେ ସ୍ପଷ୍ଟ କରନ୍ତୁ ବୋଲି ବରୁଣ ଗାନ୍ଧୀ କହିଛନ୍ତି।

ଏସବୁ ପରେ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଏହି ଯୋଜନାରେ ଅଗ୍ନବୀରଙ୍କ ଭବିଷ୍ୟତ ସ୍ଥିର ବୋଲି କେନ୍ଦ୍ର ସରକାର କହିଛନ୍ତି। ଚାକିରିରୁ ଅବସର ନେବା ପରେ ଆର୍ଥିକ ସୁରକ୍ଷା ସହ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।

ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ ଜାହାନାବାଦରେ ୮୩ ନମ୍ଵର ଜାତୀୟ ରାଜପଥ ଏବ ୧୧୦ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଅସନ୍ତୁଷ୍ଟ ଛାତ୍ରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି? ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ,କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରୀ ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ଏବେ ପ୍ରଶ୍ନ ଉଠୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com