ଜାତୀୟ

ଦିଲ୍ଲୀ : ବିଧାୟକଙ୍କ ବେତନ ବୃଦ୍ଧି ପ୍ରସ୍ତାବ ଗୃହୀତ, ଜାଣନ୍ତୁ ଏବେ ଦରମା ମିଳିବ କେତେ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଧାୟକଙ୍କ ବେତନ ବୃଦ୍ଧି ଲାଗି ଆଗତ ପ୍ରସ୍ତାବ ମଙ୍ଗଳବାର ନିର୍ବିବାଦରେ ଗୃହୀତ ହୋଇଯାଇଛି। ପ୍ରସ୍ତାବକୁ ଦିଲ୍ଲୀ ବିଧାନସଭା ପୂର୍ବରୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିସାରିଥିଲା। ଏବେ ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହ ଏହା ଲାଗୁ ହୋଇଯିବ। ତେବେ ଜାଣନ୍ତୁ ଏବେ ଦିଲ୍ଲୀ ବିଧାନସଭାର ବିଧାୟକଙ୍କୁ କେତେ ଦରମା ମିଳୁଛି।

ରାଜଧାନୀ ଦିଲ୍ଲୀରେ ୭୦ଟି ବିଧାନସଭା ନିର୍ବାଚନମଣ୍ଡଳି ରହିଛି। ପ୍ରତି ବିଧାନସଭା ଆସନରେ ଜନତାଙ୍କ ନିର୍ବାଚିତ ପ୍ରତିନିଧି ଅଛନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମା ଜଣେ ଦିନ ମଜୁରିଆର ମାସିକ ଆୟ ଠାରୁ ବି କମ୍। ଏବେ ଦିଲ୍ଲୀ ବିଧାନସଭାର ବିଧାୟକଙ୍କୁ ମାସିକ ୧୨ ହଜାର ଟଙ୍କା ଦରମା ମିଳୁଛି।

ବେତନ ବାଦେ ବିଧାୟକଙ୍କୁ ନିର୍ବାଚନମଣ୍ଡଳି ଭତ୍ତା ବାବଦକୁ ମାସିକ ୧୮ ହଜାରଟଙ୍କା ମିଳୁଥିବା  ବେଳେ ମନ୍ତ୍ରୀ ସମ୍ପର୍କିତ ଭତ୍ତା ୧୦ ହଜାର, କନଭିଏନ୍ସ ୬ ହଜାର ଓ ଟେଲିଫୋନ ବାବଦକୁ ମାସିକ ୮ହଜାର ଟଙ୍କା ଭତ୍ତା ମିଳୁଛି। ବିଧାୟକଙ୍କୁ ସବୁ ମିଶି ମାସିକ ୫୪ ହଜାର ଟଙ୍କା ମିଳୁଛି। ସୋମବାର ଦିଲ୍ଲୀ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ଦିନରେ ଆଇନ ମନ୍ତ୍ରୀ କୈଳାଶ ଗହଲୋତ ବିଧାୟକ, ମନ୍ତ୍ରୀ, ଚିଫ୍ ହ୍ୱିପ୍, ବାଚସ୍ପତି, ଉପବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ବେତନ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିଥିଲେ।

ମଙ୍ଗଳବାର ବିଧେୟକ ଉପରେ ଚର୍ଚ୍ଚା ହୋଇଥିବା ବେଳେ ବିଧେୟକକୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଛି। ସଦନରେ ବିରୋଧୀ ଦଳ ବିଧାୟକମାନେ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସୋମବାର ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରି ଦିଲ୍ଲୀ ସରକାର ଗତ ୧୧ ବର୍ଷ ହେଲା ବିଧାୟକଙ୍କ ବେତନ ବଢି ନଥିବା କହିଥିଲେ। ଏଣୁ ରାଜଧାନୀ ଦିଲ୍ଲୀର ବିଧାୟକଙ୍କ ବେତନ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ବିଧାୟକଙ୍କଠାରୁ କମ ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com