
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଐତିହାସିକ ସଫଳତା ହାସଲ କରି ରାଜ୍ୟରେ ସପ୍ତମ ଥର ଲାଗି ସରକାର ଗଠନ କରିଛି ବିଜେପି। ଆଉ ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ। ରାଜଧାନୀ ଗାନ୍ଧୀ ନଗର ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଧାନୀ ଗାନ୍ଧୀ ନଗର ଠାରେ ଆୟୋଜିତ ହୋଇଥିବା ଗୁଜୁରାଟ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଥ, ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିବା ପରେ ଭୂପେନ୍ଦ୍ର ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁଜୁରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୭ ଜଣ ମନ୍ତ୍ରୀ ରହିପାରିବେ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୧୭ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏହା ସହିତ ମନ୍ତ୍ରୀମଣ୍ଡଳରେ ସମସ୍ତ ଜାତିଙ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ କରାଯାଇଛି।