
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାୟୋଜିତ ‘ମନ୍ କି ବାତ’ କାର୍ଯ୍ୟକ୍ରମର ୯୯ ତମ ଅଧ୍ୟାୟରେ ସେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କ ସହ ନିଜ ବିଚାର ସେୟାର କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏବେ ମନ୍ କି ବାତ କାର୍ଯ୍ୟକ୍ରମର ୯୯ ତମ ଅଧ୍ୟାୟରେ ଆମେ ପହଂଚିସାରିଛୁ । ଏପ୍ରିଲ ୩୦ ତାରିଖରେ ଏହି କାର୍ଯ୍ୟକ୍ରମର ୧୦୦ତମ ଏପିସୋଡକୁ ନେଇ ଲୋକଙ୍କ ଭିତରେ ବହୁତ ଉତ୍ସାହ ରହିଛି ।
ମନ୍ କି ବାତର ୯୯ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଅନ୍ୟର ସେବା ପାଇଁ ନିଜର ଜୀବନକୁ ସମର୍ପିତ କରୁଥିବା ଲୋକଙ୍କ ଉପରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଅଙ୍ଗଦାନ ଆଜିର ଦିନରେ ଅନ୍ୟକୁ ଜୀବନଦାନ ଦେବାର ଏକ ବଡ ମାଧ୍ୟମ ପାଲଟିଛି । ମୃତ୍ୟୁ ପରେ ଜଣେ ଲୋକର ଶରୀର ଦାନ ଫଳରେ ୮ରୁ ୯ଜଣ ଲୋକଙ୍କର ଜୀବନ ବଞ୍ଚିପାରୁଛି । ଏହି କ୍ରମରେ ସେ ଅଙ୍ଗଦାନ କରିଥିବା କିଛି ପରିବାର ସହିତ ଲାଇଭ କଥା ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଅଙ୍ଗଦାନକୁ ପ୍ରୋତ୍ସାହିତ କରିବାକୁ ପୁରା ଦେଶରେ ଏକ ନୂଆ ଯୋଜନା ଉପରେ କାମ ଚାଲିଛି । ଏହି କ୍ରମରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ସେହି ରାଜ୍ୟର ସ୍ଥାୟୀ ନିବାସୀ ହେବା ବାଧ୍ୟତାମୂଳକ ଆଇନକୁ ହଟାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଅଙ୍ଗଦାନ ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷକୁ ମଧ୍ୟ ସମାପ୍ତ କରାଯାଇଛି ।