
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ବିରାଟ ବିଜୟ ହାସଲ କରିଛି ସତ କିନ୍ତୁ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ନାକୁଆଣି ହୋଇ ପଡିଥିଲେ ଦଳ ହାଇକମାଣ୍ଡ । ଦୁଇ ଦିନ ଧରି ହାଇ ଭୋଲଟେଜ ଡ୍ରାମା ଚାଲିବା ପରେ ଶେଷରେ ସୋନିଆଙ୍କ ହସ୍ତକ୍ଷେପ ମାମଲାରେ ଯବନିକା ପକାଇଛି । ଭିତିରିଆ ମିଳିଥିବା ଖବର ଅନୁସାରେ ସିଦ୍ଧରମୈୟା ହିଁ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । କିନ୍ତୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ନୁହେଁ ବରଂ ଅଢେଇ ବର୍ଷ ପାଇଁ । ଆଉ ଏ ପ୍ରସ୍ତାବରେ ଶିବକୁମାର ବି ସହମତି ଜଣାଇଛନ୍ତି ।
ପ୍ରଥମେ କିନ୍ତୁ ଅଧା ଅଧା ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ ନେଇ ଡିକେ ଶିବକୁମାର କହିଥିଲେ ଯେ ଯଦି ସେମିତି ନିଷ୍ପତି କଂଗ୍ରେସ ହାଇକମାଣ୍ଡ ନିଅନ୍ତି ତେବେ ପ୍ରଥମ ଟାର୍ମରେ ସେ ହିଁ ଦାଇତ୍ୱ ସମ୍ଭାଳିବେ । ନହେଲେ ଏ ପ୍ରସ୍ତାବରେ ସେ ରାଜି ନୁହନ୍ତି ବୋଲି ସିଧା ସିଧା ଶୁଣାଇଥିଲେ ଚୟନକର୍ତ୍ତାଙ୍କୁ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଜ ଜିଦରେ ଅଟଳ ରହିଥିଲେ ଶିବକୁମାର । ସେପଟେ ସିଦ୍ଦରମୈୟା ବି ଥିଲେ ନଛୋଡବନ୍ଧା । ତେଣୁ ମାମଲାରେ ହସ୍ତକ୍ଷେପ କରିଥିଲେ ଖୋଦ ସୋନିଆ ଗାନ୍ଧୀ । ଫଳାଫଳ ଆସିବା ଦିନ ହିଁ ଶିବକୁମାର ପ୍ରଥମେ ସୋନିଆଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ମହାନତା ବଖାଣିଥିଲେ ଏହା ସହ ସେ ଜେଲରେ ଥିବା ବେଳେ କେମିିତି ସୋନିଆ ଆସି ତାଙ୍କୁ ଦେଖା କରିଥିଲେ ଏକଥା ଲୁହ ଛଳଛଳ ଆଖିରେ କହିଥିଲେ ଶିବକୁମାର । ତେଣୁ ସୋନିଆଙ୍କ ଉପରେ ଶ୍ରଦ୍ଧା ରଖୁଥିବା ଶିବକୁମାରଙ୍କ ମାନଭଞ୍ଜନ ଦାୟିତ୍ୱ ଦିଆ ଯାଇଥିଲା ମିସେସ ଗାନ୍ଧୀଙ୍କୁ ।
ଖୋଦ ସୋନିଆ ଟେଲିଫୋନ ଯୋଗେ ଶିବକୁମାରଙ୍କ ସହ କଥା ହୋଇ ତାଙ୍କୁ ପ୍ରଥମେ ଅଢେଇ ବର୍ଷ ଉପମୁଖ୍ୟମନ୍ତ୍ରୀ ରହିବା ସହ କର୍ଣ୍ଣାଟକ କଂଗ୍ରେସ ଅଧକ୍ଷ ରହିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ସୋନିଆଙ୍କ କଥା ଭାଙ୍ଗି ନପାରି ଶେଷରେ ତାଙ୍କ ପ୍ରସ୍ତାବରେ ହଁ ଭରିଥିଲେ ଶିବକୁମାର । ଆଉ ସୋନିଆ ହିଁ ପ୍ୟାଚ ପକାଇଥିଲେ ଶିବକୁମାର ଓ ସିଦ୍ଧରମୈୟାଙ୍କ ଭିତରେ । ଆମ ସୁତ୍ରରୁ ମିଳିଥିବା ଖବର ମୁତାବକ ଆସନ୍ତା ୨୦ରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭବେ ଶପଥଗ୍ରହଣ କରିବା ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥଗ୍ରହଣ କରିବେ । ଆଉ ଏଥିପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ବହୁ କଂଗ୍ରେସ ହେଭିୱେଟଙ୍କ ସହ ଅନ୍ୟ ସହେଯାଗୀ ଦଳର ନେତାଙ୍କୁ ବି ଆମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି।




