Featuredଓଡ଼ିଶାରାଜନୀତି

ଗ୍ରାମାଞ୍ଚଳର ବିକାଶରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଛି ୧୧୭୨ ଟି ଗାଁ

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୬୦ଟି ରାସ୍ତା ନିର୍ମାଣ କରାଯାଇଛି । ୩୭୪୧.୮୯ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯାଇଛି ।

ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି । ଗ୍ରାମାଞ୍ଚଳର
ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି । ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ
ଆଣିପାରିଛି । ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜର ଉତ୍ପାଦନର ଉପଯୁକ୍ତ ବଜାର ସୁବିଧା ପାଇପାରୁଛନ୍ତି । ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନାଜତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଦମନ ନିମନ୍ତେ ପୋଲିସ କମ୍ବିଂ
ଅପରେସନ୍‌ ପାଇଁ ଲାଭଜନକ ସାବ୍ୟସ୍ତ ହୋଇପାରିଥିବାବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିଛି । ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସିଆର୍‌ପିଏଫ୍‌ ଆରକ୍ଷୀ ବାହିନୀଙ୍କ ସକାଶେ ସୁବିଧାଜନକ ହୋଇପାରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com