ସିନ୍ଦେଙ୍କ ୨୨ ବିଧାୟକ ଏବଂ ୯ ଜଣ ସାଂସଦ ଉଦ୍ଧବ ଶିବିରରେ!
ମହାରାଷ୍ଟ୍ର ରାଜନୀତିରେ କମ୍ପନ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଖୁବ୍ଶୀଘ୍ର ଭାଙ୍ଗିଯିବ ମହରାଷ୍ଟ୍ରର ସିନ୍ଦେ ସରକାର। ଏଭଳି ଦାବି କରିଛନ୍ତି ଶିବସେନାର ଉଦ୍ଧବ-ବାଲ ଠାକରେ ଗୋଷ୍ଠୀ। ସାଂସଦ ବିନାୟକ ରାଉତ ଏଭଳି ଦୃଢ଼ତା ପ୍ରକାଶ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ସିନ୍ଦେଙ୍କ ୨୨ ଜଣ ବିଧାୟକ ଓ ୯ ଜଣ ସାଂସଦ ଉଦ୍ଧବ ଗୋଷ୍ଠୀକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି ଏବଂ ଯୋଗାଯୋଗରେ ଅଛନ୍ତି।
ଅନ୍ୟପଟେ ବିନାୟକ ରାଉତଙ୍କ ଦାବିକୁ ନେଇ କଟାକ୍ଷ କରିଛନ୍ତି ସିନ୍ଦେ ଗୋଷ୍ଠୀର ନେତା ତଥା ମନ୍ତ୍ରୀ ଶଂଭୁନାଥ ଦେଶାଇ। ସେ କହିଛନ୍ତି ଯେ ବିନାୟକ କଣ ଭବିଷ୍ୟତ ଦେଖିପାରନ୍ତି କି? ସେ କିଛି ବି କହିପାରନ୍ତି କିନ୍ତୁ ତାଙ୍କ କଥାରେ କୌଣସି ସତ୍ୟତା ନାହିଁ। ଆମ ବିଧାୟକଙ୍କ ମଧ୍ୟରେ କୌଣସି ପ୍ରକାର ଅସନ୍ତୋଷ ବା କନ୍ଦଳ ନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵରେ ଆମେ ଜନହିତକର କାର୍ଯ୍ୟ କରିଚାଲିଛୁ ଓ କରିବୁ। ତେଣୁ ବିନାୟକଙ୍କ କଥାକୁ ଆମେ ଆଦୌ ଗୁରୁତ୍ଵ ଦେଉନାହୁ ବୋଲି ଦେଶାଇ କହିଛନ୍ତି।
ବିନାୟକ ସୋମବାର ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନାରେ ଅଶାନ୍ତି ଦେଖାଦେଇଛି । ଦଳର ୨୨ ଜଣ ବିଧାୟକ ଏବଂ ୯ ଜଣ ସାଂସଦ ନାରାଜ ଅଛନ୍ତି । ଅସନ୍ତୁଷ୍ଟ ସମସ୍ତ ବିଧାୟକ ଶିବସେନାର ଉଦ୍ଧବ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ହେଉ ନ ଥିବାରୁ ଦଳ ଛାଡିବାକୁ ଚାହୁଁଛନ୍ତି । ଏପରିକି ସିନ୍ଦେ ଦଳର ବିଧାୟକମାନେ ଶ୍ୱାସରୁଦ୍ଧ ହେଉଥିବା କଥା ମନ୍ତ୍ରୀ ଶଂଭୁରାଜ ଦେଶାଇ ୧୫ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ସୂଚନା ଦେଇଥିଲେ ବୋଲି ବିନାୟକ କହିଥିଲେ। ଏହି ପ୍ରସଙ୍ଗକୁ ନେଇ ମହରାଷ୍ଟ୍ର ରାଜନୀତିରେ ସରଗରମ ଆଲୋଚନା ଜାରି ରହିଛି।