ରାସ୍ତା ପାର ହେଉଥିଲା ହାତୀ, ମାଡ଼ିଗଲା ଟ୍ରେନ୍

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ରାସ୍ତା ପାର ହେଉଥିଲା ମାଈ ହାତୀ। ସେ କଣ ଜାଣିଥିଲା ତାକୁ ମାଡ଼ିଯିବ ଲୌହ ଦାନବ। ହଠାତ୍ କାଳ ସାଜି ମାଡ଼ି ଆସିଲା ଟ୍ରେନ୍। ନିମିଷକରେ ନେଇଗଲା ହାତୀର ପ୍ରାଣ। ଗୋଟିଏ ପରେ ଗୋଟିଏ ବନ୍ୟପ୍ରାଣୀ ସଂକଟରେ ଥିବାବେଳେ ଥମୁନି ହାତୀ ମୃତ୍ୟୁ। ଠିକ୍ ସେମିତି ଆଉ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଟଳି ପଡ଼ିଛି ମାଈ ହାତୀ।
କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଟାଙ୍ଗରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ରାସ୍ତାପାର ହେଉଥିବା ବେଳେ ଟ୍ରେନ ଲାଇନରେ ହାତୀଟିକୁ ଧକ୍କା ଦେଇଥିଲା ଟ୍ରେନ୍ । ହାତୀପଲ ରାସ୍ତା ପାର ହେଉଥିବା ସମୟରେ ଏକ ମାଈହାତୀକୁ ମାଲବାହୀ ଟ୍ରେନ୍ ଧକ୍କାଦେବାରୁ ହାତୀଟି ୧୦ଫୁଟ ତଳକୁ ଛିଟିକି ପଡିବା ସହ ଗୁରୁତର ଆହତ ହୋଇଥିଲା। ଦୀର୍ଘସମୟ ଧରି ହାତୀଟି କଷ୍ଟ ପାଇ ପଡିରହିଥିବା ବେଳେ ହାତୀଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନବିଭାଗ ଓ ରେଳବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେବେ ସରିବ ତଦନ୍ତ ଓ ଦୋଷ କାହା ମୁଣ୍ଡକୁ ଯିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।