’ମୁଁ କଂଗ୍ରେସ ପରିବାରର ଲୋକ, କୌଣସି ଦଳ ବିରୋଧୀ କାମ କରିନି’
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ମୁଁ କୌଣସି ଦଳ ବିରୋଧୀ କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ।
ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରର ଲୋକ । ପିଲା ଦିନେ ଜେଜେ ବାପା କଂଗ୍ରେସ ବାବଦରେ କହିଥିଲେ । ଦଳର ସଂଗଠନକୁ ସୁଦୃଢ଼ କରିବା ଲାଗି ବାପାଙ୍କ ଅବଦାନ ଥିଲା । କଂଗ୍ରେସକୁ ମଜଭୁତ କରିବା ଲାଗି ସବୁବେଳେ ଚେଷ୍ଟା କରିଛି । ରକ୍ତରେ ବେଇମାନି କରିବା ନାହିଁ । ମେ ୮ରେ ଜୟଦେବ ଭବନରେ ଗୋଟିଏ ସେମିନାର ହୋଇଥିଲା । ସେଥିରେ କଂଗ୍ରେସର ସୁବର୍ଣ୍ଣ ଯୁଗ ନେଇ ଆଲୋଚନା ହୋଇଥିଲା । ସେଠି କହିଥିଲି କି କଂଗ୍ରେସ ଦେଉଥିବା ୯ରୁ ୯୦ ସ୍ଲୋଗାନକୁ ବାସ୍ତବରେ ପରିଣତ କରିବା ପାଇଁ ତୃଣମୂଳ ସ୍ତରକୁ କଂଗ୍ରେସର ନେତାଙ୍କୁ ଯିବାକୁ ପଡ଼ିବ । ଦଳୀୟ ପ୍ରାର୍ଥୀ ବିଳମ୍ବରେ ଘୋଷଣା କରାଯାଏ । ପ୍ରସ୍ତାବ ଦେଇଥିଲି ନିର୍ବାଚନର ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା ହେଉ । ସୁଯୋଗ ଦିଆଯାଉ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ । ଏହା ଯଦି ଦଳ ବିରୋଧୀ କାର୍ଯ୍ୟ, ତାହାଲେ ଆଉ କିଛି କହିବାର ନାହିଁ । ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ କିଛି କୁଚକ୍ରୀ ଚକ୍ରାନ୍ତ କରୁଛନ୍ତି । ତେବେ ସେମିନାରରେ କହିଥିବା ମନ୍ତବ୍ୟ ଯୋଗୁଁ ଦଳ ଝାରସୁଗୁଡ଼ାରେ ୪ ହଜାର ଭୋଟ୍ ପାଇଲା । ତେବେ ପଦ୍ମପୁର ଓ ଧାମନଗର ଉପନିର୍ବାଚନରେ ଦଳର ଭୋଟ୍ ହାର୍ କାହିଁକି କମିଲା ଓ କିଏ ଦାୟୀ ?ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ନିର୍ବାଚନ ଲଢ଼ା ଯାଇଥିଲା । ୨୦୧୯ ପରେ ୫ଟି ଉପନିର୍ବାଚନ ହୋଇଛି । ତିର୍ତ୍ତୋଲକୁ ବାଦ୍ ଦେଲେ ସବୁଠି ଦଳର ପ୍ରାର୍ଥୀ ୪ ପ୍ରତିଶତରୁ କମ୍ ଭୋଟ୍ ପାଇଛନ୍ତି । ତିର୍ତ୍ତୋଲରେ ଭୋଟ୍ ହାର ୧୬ରୁ ୧୮ ପ୍ରତିଶତକୁ ବଢ଼ିଥିଲା । ଜଗତସିଂହପୁର ମ୍ୟୁନିସିପାଲିଟି କଂଗ୍ରେସ ହାତେଇଛି । କଂଗ୍ରେସ ଦଳକୁ ସଂଗଠିତ କରିବାକୁ ମୁଁ ଉଦ୍ୟମ କରିଛି ବୋଲି ଚିରଞ୍ଜୀବ କହିଛନ୍ତି।
ପଦ ପଦବୀରେ ରହି ନିଜ ସ୍ୱାର୍ଥ ହାସଲ ଚାହିଁଲେ ଦଳ ଉଠି ପାରିବ ନାହିଁ । ଗାଁ ଗାଁରେ ବୁଲି କଂଗ୍ରେସର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ ବୋଲି କହିଥିଲି। କିଛି କୁଚକ୍ରୀ ମୋତେ ଦଳରୁ ଦୂରେଇ ଦେବାକୁ ଚାହୁଁଛନ୍ତି । ତେବେ କୁଚକ୍ରୀ କିଏ ? ସାମ୍ବାଦିକଙ୍କ ସେ ପ୍ରଶ୍ନର ଉତ୍ତର ରଖି ନାହାନ୍ତି ଚିରଞ୍ଜୀବ ବରଂ କହିଛନ୍ତି ଯେ ଯେଉଁମାନେ ଚକ୍ରାନ୍ତ କରୁଛନ୍ତି ସେମାନେ ୨୫ ବର୍ଷ ହେଲାଣି ନିର୍ବାଚନ ଜିତି ନାହାନ୍ତି।