ବାଜପେୟୀଙ୍କୁ ଗାଦିଚ୍ୟୁତ୍ କରିଥିଲେ ଗମାଙ୍ଗ
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଏପରି କୁହାଯାଇପାରେ ସେ ହେଉଛନ୍ତି ଓଡ଼ିଶାର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ । ଜଣେ ପୋଖତ ରାଜନେତା ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବଳ ହରାଇଛି କଂଗ୍ରେସ । ଆଉ କ୍ଷମତାକୁ ଆସିବା ତ ଦୂରର କଥା । କିନ୍ତୁ ଗମାଗଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଥମୁନି । ତାଙ୍କର ଗୋଟିଏ ଭୋଟ କେମିତି ୧୯୯୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିଦେଇଥିଲା ତାହା ଆଜି ବି ଆଲୋଚନା ହେଉଛି । ଆଉ ଏ ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ ସଂସଦରେ ତାଙ୍କ ଦୀର୍ଘ ଭାଷଣରେ ଉଠାଇଛନ୍ତି ।
ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ଆଲୋଚନା କରିବା ସମୟରେ ଶ୍ରୀ ଶାହ କହିଥିଲେ ଯେ ୧୯୯୯ ମସିହାରେ ବାଜପେୟୀ ସରକାରଙ୍କ ବିରୋଧରେ ଆସ୍ଥା ପ୍ରସ୍ତାବ ଆସିଥିଲା । ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗିରିଧର ଗମାଙ୍ଗ ଶପଥ ଗ୍ରହଣ କରି ସାରିଥିଲେ ମଧ୍ୟ ଲୋକସଭାକୁ ଭୋଟ୍ ଦେବାକୁ ଯାଇଥିଲେ । ଶ୍ରୀ ଗମାଙ୍ଗ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନଥିଲେ । ତାଙ୍କର ଗୋଟିଏ ଭୋଟ ବାଜପେୟୀ ସରକାରଙ୍କ ପତନ ଘଟାଇଥିଲା । ତାଙ୍କ ଭୋଟ ବୈଧ କି ନୁହେଁ ତାହାକୁ ନେଇ ଦେଶରେ ବିତର୍କ ହୋଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସାଂସଦ ଭାବେ ଭୋଟ ଦେଇଥିଲେ ।
ବାଚସ୍ପତି ସଂସଦରେ ଗରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ । ହେଲେ ଏ ନେଇ ଆମେ କୌଣସି ଆପତ୍ତି ଉଠାଇନଥିଲୁ କି କୌଣସି ଚାପ ପ୍ରୟୋଗ କରିନଥିଲୁ ବୋଲି ଶ୍ରୀ ଶାହ କହିଥିଲେ । ତେବେ ଜନତା ସବୁ ଦେଖୁଛନ୍ତି, ଜନତା ସବୁ ଜାଣୁଛନ୍ତି । ଗୋଟିଏ ଭୋଟରେ ଆମର ସରକାର ଭାଙ୍ଗିଗଲା ସତ ହେଲେ ସରକାରଙ୍କ ପତନ ପରେ ଦେଶରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଏନଡିଏ ବିଜୟ ହାସଲ କରିବା ସହ ବାଜପେୟୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ଅମିତ ଶାହ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହାକୁ ନେଇ କଂଗ୍ରେସର ପୁରୁଣା ପେଡ଼ି ପୁଣି ସମ୍ପର୍କରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି । ଆଉ ସାମ୍ନାକୁ ପୁଣି ଆସିଛନ୍ତି ଗିରିଧର ଗମାଙ୍ଗୋ ।