ଓଡ଼ିଶା

କମ ପାଣିରେ ବଞ୍ଚିପାରିବ କୋରାପୁଟ ମାଣ୍ଡିଆ, ଓଡ଼ିଆ ବୈଜ୍ଞାନିକଙ୍କ ଦାବି

ଜଳବାୟୁ ପରିବର୍ତ୍ତନ ଚାଷ କାର୍ଯ୍ୟରେ ଏବେ ବଡ ବାଧକ ସାଜିଛି । ଆବଶ୍ୟକ ମୁତାବକ ବର୍ଷା ହେଉନଥିବାରୁ ଫସଲ ମରୁଡ଼ି ହୋଇଯାଉଛି । ତେବେ ଏସବୁ ଭିତରେ ମାଣ୍ଡିଆକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଗବେଷଣାରୁ ଜଣାଯାଇଛି ଯେ, ଅନ୍ୟସ୍ଥାନର ମାଣ୍ଡିଆ ଅପେକ୍ଷା କୋରାପୁଟ ମାଣ୍ଡିଆ ମରୁଡି ପରିବେଶରେ ତିଷ୍ଠି ପାରିବ । ଏପରି ଦାବି କରିଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା ।

କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର‌୍ୟ୍ୟୟ ସହନଶୀଳତା ଉପରେ ୧୦ ବର୍ଷ ହେଲା ଗବେଷଣା କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଏହି ଗବେଷଣାରୁ ଜଣା ପଡିଛି ଯେ ଲଡୁ, ବାଟି, ବିରି, ଟୁମୁକା ଲାଲା ଓ ଭାଲୁ ପରି ୬ ପ୍ରକାରର ପାରମ୍ପରିକ ମାଣ୍ଡିଆରେ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି । ଏପରିକି ଏହି ମାଣ୍ଡିଆ କମ ପାଣିରେ ମଧ୍ୟ ଚାଷ କରାଯାଇପାରିବ ।

ଏଣୁ ଜଳାଭାବରୁ ହେଉଥିବା ସମୟରେ ଏହି ମାଣ୍ଡିଆ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ମାଣ୍ଡିଆର ସ୍ୱତନ୍ତ୍ରତା ଦେଖିବାକୁ ଗଲେ ଏହାର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ ରହିଥିବା ଗବେଷଣାରୁ ଜଣାପଡିଛି । ଉଦ୍ଭିଦ ବିଜ୍ଞାନୀ ଅଲୌକିକା ପଣ୍ଡା ଓ ସ୍ୱାମୀନାଥନ ଫାଉଣ୍ଡଡେସନର ବୈଜ୍ଞାନିକ ଡ. କାର୍ତ୍ତିକ ଚରଣ ଲେଙ୍କାଙ୍କ ସହ ମିଶି ସେ ଏହି ମତ ପ୍ରକାଶ କରିଛନ୍ତି ।

ସେହିପରି ଏହି ମାଣ୍ଡିଆର ଜିନକୁ ନେଇ ନୂତନ ମାଣ୍ଡିଆ ସୃଷ୍ଟି କରାଯାଇପାରିବ । ଯଦି ଏହି ବିରଳ ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଯାଏ, ତେବେ ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ ବୋଲି ଦେବବ୍ରତ ପଣ୍ଡା କହିଛନ୍ତି । ତେଣୁ ବର୍ତ୍ତମାନର ବଦଳୁଥିବା ଜଳବାୟୁରେ ଏହି ମାଣ୍ଡିଆ ଖାଦ୍ୟ ସୁରକ୍ଷାକୁ ଆହୁରି ମଜଭୁତ କରିବା ନେଇ ସେ ଆଶା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com