ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କୃତିତ୍ୱ , ବୈଜ୍ଞାନିକ ନେବେ ତାଙ୍କ ଜ୍ଞାନ

ମହାକାଶରୁ ସଫା ହେବ ଆବର୍ଜନା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହାର ସହଜ ଉପାୟ ବାହାର କରିଛନ୍ତି ଅଷ୍ଟମ ଶ୍ରେଣୀର ଜଣେ ଓଡିଆ ଛାତ୍ରୀ । ଏଥିପାଇଁ ସ୍ପେସ୍ କ୍ଲିନର ରୋବର୍ଟ ରକେଟ୍ ମହାକାଶକୁ ଛଡାଯିବ ।
ପୂର୍ବରୁ ମହାକାଶକୁ ଛଡାଯାଇଥିବା ଉପଗ୍ରହ ଗୁଡିକର କାର୍ଯ୍ୟକାଳ ସରିଗଲା ପରେ ସେଗୁଡିକର ସେଠାରେ ଆଉ କାର୍ଯ୍ୟ ନଥାଏ । ଏହାଛଡା ଗବେଷଣାରୁ ଜଣାପଡିଛି ଯେ, ପୃଥିବୀ କକ୍ଷ ପଥର ୨ ହଜାର କିଲୋମିଟର ପରିଧି ଭିତରେ ପରିତ୍ୟକ୍ତ ଯାନ, ମିଶନ ସମ୍ଭନ୍ଧୀୟ ଆବର୍ଜନା ଏବଂ ପୃଥିବୀ କକ୍ଷ ପଥରେ ଥିବା ରକେଟ, ମହାକାଶ ଯାନର ଖଣ୍ଡ ବିଖଣ୍ଡିତ ଅଂଶ, ମହାକାଶ ଯାନରୁ ବାହାରୁଥିବା କଠିନ ତରଳ ପଦାର୍ଥ ଏବଂ କଠିନ ରକେଟ ମୋଟର କଣିକା ଗୁଡିକ ଅଯଥାରେ ଜାଗା ନେଉଛି । ଯାହାକୁ ଆବର୍ଜନା ଭାବେ ଗଣା ଯାଉଛି । ତେଣୁ ଏସବୁ ସଫା ହେବା ଆବଶ୍ୟକ ।
ତେବେ ମହାକାଶରୁ ଆବର୍ଜନା ସଫା କରିବା ଅଧିକ ବ୍ୟୟ ସାପେକ୍ଷ ହେବା ସହ କଷ୍ଟକର କାର୍ଯ୍ୟ ମଧ୍ୟ । ତେଣୁ ଏନେଇ ଏକ ସହଜ ଉପାୟ ବାହାର କରିଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅନ୍ତର୍ଗତ ସୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ବର୍ଷା ସ୍ୱାଇଁ । ଏହି ପ୍ରୋଜେକ୍ଟଟି ସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ ମଲିକଙ୍କ ସହଯୋଗରେ ସେ ତିଆରି କରିଛନ୍ତି ।
ତାଙ୍କ ପ୍ରୋଜେକ୍ଟ ଅନୁସାରେ ସ୍ପେସ୍ କ୍ଲିନର ରୋବର୍ଟ ରକେଟରେ ଏକ ସେନସର ଲାଗିବ । ଏହା ମହାକାଶରେ ଅଳିଆ ଆବର୍ଜନା ଅନୁସନ୍ଧାନ କରିବ । ଏହାପରେ ସେଥିରେ ଖଞ୍ଜା ଯାଇଥିବା ଶକ୍ତିଶାଳୀ ଲେଜର ଲାଇଟ ରିମୋଟ କଣ୍ଟ୍ରୋଲ ଦ୍ଵାରା ଆବର୍ଜନା ଉପରେ ପକାଯିବ । ଏହାର ଅତି ପ୍ରବଳ ତାପମାତ୍ରା ଯୋଗୁ ସେ ଆବର୍ଜନା ଜଳି ପ୍ଲାଜମାରେ ପରିଣତ କରିବ।
ଏହାଦ୍ୱାରା ଆବର୍ଜନା ଗୁଡିକର ରାସାୟନିକ ପ୍ରଭାବ ଓଜନ ସ୍ତର ବା ପୃଥିବୀ ପୃଷ୍ଟରେ ପଡି ପ୍ରଦୂର୍ଷଣ କରିବ ନାହିଁ ।