ଜାତୀୟରାଜନୀତି

ଅନୀଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି; କଣ କହିଲେ ଧର୍ମେନ୍ଦ୍ର, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ହରିଆଣାରେ ବିଜେପି ପୁଣି କ୍ଷମତାକୁ ଆସିବ, ତେବେ ଅନୀଲ ବିଜ ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଦାବି କରିଥିଲେ । ଆଜି ଏହି ଘଟଣାରେ ହରିଆଣା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନିଙ୍କ ନେତୃତ୍ୱରେ ଦଳ ଏଠାରେ ନିର୍ବାଚନ ଲଢୁଛି । ନାୟବ ସିଂହ ସୈନି ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ତାଙ୍କ ନେତୃତ୍ୱରେ ବିଜେପି ହରିଆଣାରେ ତୃତୀୟ ଥର ବିଜୟ ହାସଲ କରିବ ।

ଅନୀଲ ବିଜଙ୍କ ମନ୍ତବ୍ୟ ଉପରେ ପଚାରିବାରୁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦଳର ଜଣେ କର୍ମକର୍ତ୍ତା ଭାବେ ସେ ଏପରି କହିଥାଇପାରନ୍ତି । କିନ୍ତୁ, ନାୟବ ସିଂ ସୈନି ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ l ତେବେ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ଥିବା ଅନିଲ ବିଜ କହିଥିଲେ ଯେ, ‘ମୁଁ ଦଳର ସବୁଠୁ ବରିଷ୍ଠ ନେତା ହୋଇଥିବାରୁ ଏଥର ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବି ।

ଆଉ ଲୋକଙ୍କର ମଧ୍ୟ ଏହି ଦାବି ରହିଛି । ମୁଁ ଆଜି ପର୍ଯ୍ୟନ୍ତ ଦଳକୁ କିଛି ମାଗି ନାହିଁ । ମୁଁ ମୋ ଦାବି ଜଣାଇବି । ତା’ପରେ ଦଳ ଯାହା ନିଷ୍ପତ୍ତି ନେବ । ଦଳ ମୋତେ ମୁଖ୍ୟମନ୍ତ୍ରୀ କରିବ ନା ନାହିଁ, ତାହା ଦଳ ଉପରେ ନିର୍ଭର କରେ । ଯଦି ମୁଁ ମୁଖ୍ୟମନ୍ତ୍ରୀ ହୁଏ ତେବେ ହରିଆଣାର ଭାଗ୍ୟ ଓ ଚିତ୍ର ବଦଳାଇ ଦେବି’ । ଅନୀଲ ବିଜ ଅମ୍ବାଲା କ୍ୟାଣ୍ଟନମେଣ୍ଟ ଆସନରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୨୦୧୪ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ହରିଆଣାର ଗୃହମନ୍ତ୍ରୀ ମଧ୍ୟ ଥିଲେ ।

ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନାୟବ ସିଂହ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅନୀଲ ବିଜଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା । ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୫ ତାରିଖରେ ଚଳିତ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com