ଗଣମାଧ୍ୟମରେ ପୀଡିତା-ମେଜରଙ୍କ ନାଁ ନ ନେବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।
ଅନ୍ୟପଟେ ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ତେବେ ଭରତପୁର ଥାନା ଘଟଣା ନ୍ୟାୟିକ ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଛି । ଯାହାକୁ ନେଇ ପୀଡ଼ିତା ଓ ସେନାଅଧିକାରୀଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ବୈଦ୍ୟୁତିକ, ଛାପା, ସାମାଜିକ ଗଣମାଧ୍ୟମରେ ସେମାନଙ୍କ ନାଁ ନ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଖାଲି ସେତିକି ନୁହେଁ ଏହି ଘଟଣା କୋର୍ଟ ହାତକୁ ଯିବା ପରେ ତତ୍ପରତା ଦେଖାଇଛନ୍ତି କୋର୍ଟ । ରାଜ୍ୟରେ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସବୁ ଥାନାରେ ସିସିଟିଭି ଲାଗିଛି କି ନାହିଁ ଉତ୍ତର ମାଗିଛନ୍ତି । ଯଦି ଲାଗିନି କେତେ ଦିନ ଭିତରେ ଲାଗିବ ସେନେଇ ଜବାବ ଦେବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏଡିଜି ଆଧୁନିକୀକରଣକୁ ଆପଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ ଏହି ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟ ମନା କରିଛନ୍ତି । ଏଥିରେ ହାଇକୋର୍ଟଙ୍କ ଅନୁଧ୍ୟାନ ଆବଶ୍ୟକ ନାହିଁ ବୋଲି କହିଛନ୍ତି କୋର୍ଟ । କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏହି ଉଚ୍ଚସ୍ତରୀୟ ବୈଠକ କରିଥିଲେ।
ଯେଉଁଥିରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। । ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଥିଲା। ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।
ଓଡ଼ିଶାର ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ। ଭରତପୁର ଥାନାରେ ସିସିଟିଭି ନ ଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସିସିଟିଭି ବ୍ୟବସ୍ଥା ନେଇ ପୁଲିସ ଆଧୁନିକୀକରଣ ଲାଗି ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୯ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।ଆଗକୁ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ନାଁ ବାହାରେ ପ୍ରକାଶ ନ କରିବାକୁ ତାଗିଦ୍ ବି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।