Featuredଓଡ଼ିଶାଜାତୀୟ

ସହାୟତା ରାଶି ଲୁଟିବାକୁ ଜାଲ୍ ଆଧାରକାର୍ଡ ଧରି ପହଞ୍ଚିଲେ ମାୟାବିନୀ ମହିଳା, ତା’ପରେ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବ୍ଲାକ ଫ୍ରାଇଡେର ସେଇ ରକ୍ତରଂଜିତ ସଂଧ୍ୟା ପୂରାଦେଶକୁ ଲୁହରେ ଭିଜେଇ ଦେଇଛି । ଲୌହ ଦାନବର ରକ୍ତ ଭୋଜିରେ ଶିହରି ଉଠିଛି ମଣିଷ ସମାଜ । ଶହ ଶହ ପରିବାରକୁ ଛାରଖାର କରି ଦେଇଛି ବାହାନାଗା ରେଳ ଦୁର୍ଘଟଣା । କରମଣ୍ଡଳ କାହାକୁ ବିଧବା କରି ଦେଇଛି ତ କାହାକୁ ଅନାଥ କରି ଦେଇଛି । କାହା କୋଳକୁ ଶୂନ୍ୟ କରି ଦେଇଛି ତ କାହାର ବଂଶକୁ ସବୁ ଦିନ ଲାଗି ନିଶ୍ଚିହ୍ନ କରିଦେଇଛି । ଆଉ ତାରି ଭିତରେ ସବୁଠୁ ହୃଦୟ ବିଦାରକ ଦୃଶ୍ୟ ହେଉଛି କ୍ଷତବିକ୍ଷତ ମୃତଦେହ ଭିତରୁ ନିଜ ଲୋକକୁ ଖୋଜିବାର ଚିତ୍ର । ପରିସ୍ଥିତି ଏମିତି ଯେ କେଉଁଟା କାହାର ମୃତଦେହ ଚିହ୍ନିବା ବି ମୁସ୍କିଲ ହୋଇ ପଡ଼ିଲା। ଏମିତି ଅସମୟରେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏମିତି ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଜଣେ ମହିଳ ଖେଳୁଥିଲେ ସାଂଘାତିକ ଖେଳ । ହଁ ଆଜ୍ଞା ଏ ଖବର ଆପଣଙ୍କୁ ଯେତିକି ମର୍ମାହତ କରିବ ତା ଠାରୁ ଅଧିକ ମୁଣ୍ଡ ଗରମ କରିଦେବ।

ରବିବାର ବାଲେଶ୍ୱର ନୋସି ବିଜେନେସ ପାର୍କରେ ଚାଲିଥାଏ ଶବ ଚିହ୍ନଟ ପ୍ରକ୍ରିୟା । ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାର ଲୋକ ଆସି ଶବ ଚିହ୍ନଟ କରିବା ସହ ସହାୟତା ପାଇଁ ନିଜର ସମସ୍ତ ତଥ୍ୟ ପ୍ରଦାନ କରୁଥାନ୍ତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ । ଏଇ ସମୟରେ ଜଣେ ମହିଳା ଶବଗୃହରେ ଥିବା ଏକ ମୃତଦେହକୁୁ ଧରି ଜୋର ଜୋରରେ କାନ୍ଦିବାକୁ ଲାଗିଲେ । ଏମିତି କାନ୍ଦୁଥିଲେ ଯେ ଆଖପାଖରେ ଥିବା ଲୋକଙ୍କ ଆଖିରେ ବି ଲୁହ ଜକେଇ ଆସିଥିଲା । ମତେ କାହିଁକି ବିଧବା କରି ଚାଲିଗଲ କହି ତଳେ ଲୋଟିି ପଡୁଥାନ୍ତି ମହିଳା ଜଣକ । ତାଙ୍କ ସାଥିରେ ଆସିଥିବା ଜଣେ ପୁରୁଷ ସାନ୍ତ୍ୱନା ଦେଇ ଧୈର୍ଯ୍ୟ ରଖିବାକୁ କହୁଥାନ୍ତି । ତଥାପି କମୁନଥିଲା ମହିଳାଙ୍କ ବୁକୁଫଟା କ୍ରନ୍ଦନ । ଏହା ପରେ ମହିଳା ଜଣକ ଶବ ନେବା ପାଇଁ ଅଫିସରଙ୍କ ନିକଟରେ ପହଞ୍ଚି ଦାଖଲ କରୁଥାନ୍ତି କାଗଜପତ୍ର । ସେ ଦେଇଥିବା ଆଧାର କାର୍ଡରେ ଘର ବଡମ୍ବା ଥାନା ଅନ୍ତର୍ଗତ ମାଣିଆ ବନ୍ଧ ଗ୍ରାମରେ ହୋଇଥିବା ବେଳେ ମୃତ ସ୍ୱାମୀଙ୍କ ନାଁ ବିଜୟ ଦତ୍ତ ବୋଲି ଉଲ୍ଲେଖ ଥିଲା ।

କିନ୍ତୁ ଆଧାର କାର୍ଡରେ ଥିବା ବୟସକୁ ନେଇ ସନ୍ଦେହ କରିଥିଲେ ଅଧିକାରୀ ଜଣକ । ଆଧାରକାର୍ଡରେ ମହିଳାଙ୍କ ବୟସ ୬୨ ଥିବା ବେଳେ ସ୍ୱାମୀଙ୍କ ବୟସ ଥିଲା ୪୦ । ଏ ବାବଦରେ ପଚାରିବାରୁ ମହିଳା ଜଣକ ଆଧାରକାର୍ଡ ଭୁଲ ଥିବା କହିଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ଜଣକ ତୁରନ୍ତ ଫୋନ ଲଗାଇଥିଲେ ବଡମ୍ବା ଥାନା ଅଧିକାରୀଙ୍କୁ । ଥାନା ଅଧିକାରୀ କହିଥିଲେ ଉକ୍ତ ମହିଳାଙ୍କ ସ୍ୱାମୀ ଜୀବିତ ଅଛନ୍ତି । କିନ୍ତୁ ସେଠାରୁ ଉତ୍ତର ମିଳିଲା ବେଳକୁ ଘଟଣାସ୍ଥଳରୁ ଫେରାର ହେବାକୁ ବସିଥିଲେ ମହିଳା ଓ ତାଙ୍କ ସହିତ ଆସିଥିବା ବ୍ୟକ୍ତି । ଧରା ପଡିଯାଇଥିଲା ମହିଳାଙ୍କ ସାଂଘାତିକ ଷଡଯନ୍ତ୍ର । ତେବେ ଦୁଇ ଜଣଙ୍କୁ ନେଇ ଦାୟିତ୍ୱରେ ଥିବା ଅଧିକାରୀ ଯୋଗାଯୋଗ କରିଥିଲେ ବରିଷ୍ଠ ଅଧିକାରୀମାନଙ୍କୁ । କିନ୍ତୁ ପରିସ୍ଥିତିର ସମ୍ବେଦନଶୀଳତାକୁ ନଜରରେ ରଖି ମହିଳାଙ୍କୁ ଗିରଫ ନକରି ଛାଡି ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com