ଭରତପୁର ଥାନାରେ ଲାଗିଲା ନୂଆ ସିସିଟିଭି
ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ରାଜ୍ୟରେ ଚାଲିଛି ତୁମ୍ବି ତୁଫାନ l ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍ ପୋଲିସ ବିବାଦ ଘେରକୁ ଆସିଛି । ଏସବୁ ବିବାଦ ଭିତରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି ।
୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି । ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା । ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ।
ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।