ଓଡ଼ିଶାରାଜନୀତି

୨୭ରେ ନବୀନ ଡାକିଲେ ଜରୁରୀ ବୈଠକ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲାର ସମୀକ୍ଷା ବୈଠକ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି । ଏହି ଦୁଇ ଜିଲାରେ ଦଳକୁ ଆହୁରି କିପରି ମଜବୁତ କରିପାରିବେ ସେନେଇ ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ରହିଛି ।

ବିଜେଡି ୨୪ବର୍ଷ ଶାସନରେ ରହି ସବୁ ବର୍ଗର ଲୋକଙ୍କ ପାଇଁ କରିଥିବା ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ଅବଗତ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ନିର୍ବାଚନରେ ଶୋଚନୀୟ ପରାଜୟକୁ ୩ମାସ ବିତିଯାଇଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ଏହାର ସମୀକ୍ଷା କରିବାକୁ ସାହାସ କରିପାରିନି ।

ଅବଶ୍ୟ ବୁଲେଇବଙ୍କେଇ ଜିଲ୍ଲାସ୍ତରର ନେତାମାନଙ୍କୁ ଡାକି ନବୀନ ଏବେ ସାଂଗଠନିକ ସ୍ଥିତିର ସମୀକ୍ଷା କରୁଛନ୍ତି । ଆଉ ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ ଓ ତାଙ୍କ ଟିମ୍ ମାଧ୍ୟମରେ କିଭଳି ଜିଲ୍ଲାରେ ସଂଗଠନକୁ ନଷ୍ଟ କରିଛନ୍ତି ତା’ର ଗୁମର ଜିଲ୍ଲାସ୍ତରର ନେତାମାନେ ଖୋଲିଛନ୍ତି । ନବରଙ୍ଗପୁର ଜିଲ୍ଲା ସମୀକ୍ଷାବେଳେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକଥା ନବୀନଙ୍କୁ ଅବଗତ କରିଥିଲେ ।

ଦଳର ନିର୍ବାଚନୀ ପରିଚାଳନା ତ୍ରୁଟିପୂର୍ଣ୍ଣ ଥିବା ଓ ଅର୍ନ୍ତଘାତୀ କାର୍ଯ୍ୟ ଯୋଗୁ ବିଜେଡିକୁ ପରାଜୟ ଭୋଗିବାକୁ ପଡ଼ିଲା ବୋଲି ସେ କହିଥିଲେ । ଯାହାକୁ ଦଳର ଅନ୍ୟତମ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଏହାକୁ ସମର୍ଥନ କରିବା ସହ ନବୀନ ବୁଲିଲେ ନାହିଁ ବୋଲି ଦଳ ପରାଜିତ ହୋଇଥିବା ଗଣମାଧ୍ୟମକୁ କହିଲେ ।

ନବୀନ ଇତିମଧ୍ୟରେ ଦେବଗଡ଼, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଜଗତସିଂହପୁର, ବାଲେଶ୍ୱର, ମାଲକାନଗିରି, ଢେଙ୍କାନାଳ ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର ନେତାମାନଙ୍କୁ ଡାକି ସମୀକ୍ଷା କରିସାରିଛନ୍ତି । ସମସ୍ତେ ଏକସ୍ୱରରେ ବୁଲେଇବଙ୍କେଇ ପ୍ରଣବପ୍ରକାଶ ଦାସ ଓ ତାଙ୍କ ଖାସ୍ ସହଯୋଗୀମାନଙ୍କ ମାତ୍ରାଧିକ ମାମଲାତି ଏବଂ ଅନ୍ତର୍ଘାତୀ କାର୍ଯ୍ୟକୁ ଦାୟୀ କରିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଯେଉଁଥିପାଇଁ ନବୀନ ଏବେ ଯେଉଁ ସବୁ କମିଟି କରିଛନ୍ତି ସେଥିରେ କୌଣସି ଥିରେ ବବିଙ୍କୁ ସାମିଲ କରିନଥିବା ଜଣାପଡ଼ିଛି । ଅନ୍ୟପଟେ ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ।

ଏନେଇ ସୁଭାଶିଷ କହିଛନ୍ତି, ଆଜି ମଧ୍ୟ ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ । ଏଥିସହିତ ସୁଭାଶିଷ କହିଛନ୍ତି, ବହୁ ଲୋକ ବିଜେଡିରେ ସଦସ୍ୟତା ଗ୍ରହଣ କରିବେ ।

ସଂଖ୍ୟା ତ କହି ପାରିବିନି, ହେଲେ ବର୍ତ୍ତମାନର ସରକାରଙ୍କ ଯାହା କାମ କରୁଛନ୍ତି ରାଜ୍ୟବାସୀ ଦେଖିଲେଣି । ଭରତପୁର ଥାନା ଘଟଣା ହେଉ ବା ସେମାନେ ନିଜକୁ ଭଗବାନ ଜଗନ୍ନାଥ କହିବା ପ୍ରସଙ୍ଗ, ସେମାନେ କେବଳ ଡିଣ୍ଡିମ ପିଟୁଛନ୍ତି ବୋଲି କହିଛନ୍ତି ସୁଭାଶିଷ । ଏ ସରକାର ଖାଲି ନବୀନ ବାବୁଙ୍କ ସମୟର ଯୋଜନାରେ ରଙ୍ଗ ବୋଳୁଛି ବୋଲି କହିଛନ୍ତି । ଲୋକେ ଜାଣିଲେଣି ନୂଆ ସରକାର ବିଫଳ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢିବ ।

Related Articles

Back to top button
WP Twitter Auto Publish Powered By : XYZScripts.com