ଓଡ଼ିଶାରାଜନୀତି

ପୁଣି ତଦନ୍ତ ହେବ, ଖୋଲିବ ସ୍ମିତାରାଣୀ ମୃତ୍ୟୁ ମାମଲାର ରହସ୍ୟ: ମୁଖ୍ୟମନ୍ତ୍ରୀ

ଯାଜପୁର: ବଡ଼ଚଣାରୁ ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ମାମଲା । ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ ।

ଯାଜପୁର ବଡଚଣାରେ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେଡିକୁ ଶାଣିତ ଆକ୍ରମଣ କରିବା ସହିତ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ମାମଲାରେ ଯିଏ ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦିଆଯିବ । ଏଥିସହିତ ବିଜେଡିକୁ ମଧ୍ୟ କଡା ବାର୍ତ୍ତା ଦେଇ କହିଛନ୍ତି, ବିଜେଡି ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ ।

ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ହେଲେ ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିଲେ ପୂର୍ବ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନାଁ ନ ନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ । ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଗରିବ। ଅପରପକ୍ଷେ ନଗଡ଼ା ଅପପୃଷ୍ଟି କଥା କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଚର୍ଚ୍ଚାରେ ଥିଲା ।

ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ୨୪ ବର୍ଷ ଭିତରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଥିଲେ । ୨୪ ବର୍ଷର ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ।ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com