ଭୁବନେଶ୍ବର: ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟସୂଚୀ ଅନୁସାରେ, ସୋମବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବେ। ଏହା ପରେ ସେଠାରେ ପହଞ୍ଚି ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ ।
ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଜୋର ହେଉଛି ।
ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି । ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଆ ଭାଷାଭାଷୀଙ୍କ ଉପରେ ପ୍ରଭାବ ପକାଇବ ।
ସେହିପରି ସୀମାନ୍ତ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଯିବେ ବୋଲି ସୂଚନା ମିଳିଛି ।
ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ । ତେବେ ବିଜେପି ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।