ଓଡ଼ିଶାବାଣିଜ୍ୟ

ଉପର ମୁହାଁ ପନିପରିବା ଦର, ଟମାଟୋ କିଲୋ ପିଛା ୧୦୦-୧୨୦ ଟଙ୍କା; ଖାଉଟି ହନ୍ତସନ୍ତ

ଭୁବନେଶ୍ୱର: ପରିବା ଦରରେ ନିଆଁ ଲାଗିଛି । ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି । ଏମିତିରେ ପ୍ରଥମେ ଆଳୁ, ତାପରେ ପିଆଜ, ଏବେ ଟମାଟୋ ଉପରେ ଦିନକୁ ଦିନ ଦରଦାମ ଉପର ମୁହାଁ ହୋଇଛି l ତେବେ ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା ।

ଟମାଟୋ ଦର ଶୁଣି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି । ଟ୍ୱିନସିଟିକୁ ବାଦ୍‌ ଦେଇ ଗ୍ରାମାଞ୍ଚଳରେ ମଧ୍ୟ ଟମାଟୋ ଦର ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ସ୍ଥାନୀୟ ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।

ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛି । ତେବେ ଚିନ୍ତା ବଢ଼ାଇଛି ଟମାଟୋ । ୪ଦିନ ତଳେ ୧ ନମ୍ବର ହାଟରେ ଟମାଟୋ କିଲୋ ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଥିଲା । ହେଲେ ହଠାତ୍‌ ଦର ଶହେ ଛୁଇଁବାକୁ ସାଧାରଣ ଗ୍ରାହକ ସହଜରେ ହଜମ କରିପାରୁନହାନ୍ତି । ଅନ୍ୟପଟେ ଭୁବନେଶ୍ୱରରେ କଞ୍ଚା ପରିବା ସଂଘର ସଦସ୍ୟ କବିରାଜ ସ୍ୱାଇଁ କହିଛନ୍ତି, ଓଡ଼ିଶାରେ ଯେଉଁଠି ଯାହା ଫସଲ ହେଉଛି, ତାହା ସ୍ଥାନୀୟ ବଜାରକୁ ଯାଉଛି, ଭୁବନେଶ୍ୱରକୁ ଆସୁନି । ସେଥିପାଇଁ ଦର ଉଚ୍ଚା ରହୁଛି ।

ଦୈନିକ ଭୁବନେଶ୍ୱରକୁ ୮ରୁ ୧୦ ଗାଡି ଟମାଟୋ ଆସୁଛି । ବେଙ୍ଗାଲୁରୁ ସହରରେ ବି ଟମାଟୋ କେଜି ୧୦୦ ଟଙ୍କା ଅଛି । ତଥାପି ଆମେ କିଲୋ ୬୦ ଟଙ୍କାରେ ଟମାଟୋ କିଣୁଛୁ । ହେଲେ ଓଡ଼ିଶାକୁ ଆସିବା ବେଳେ ପରିବହନ ଖର୍ଚ୍ଚ ମିଶାଇଲେ ତାହା ୮୦ ହେଉଛି । ବିଭିନ୍ନ ବଜାରକୁ ଗଲା ବେଳକୁ ଦର ବଢୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଛତ୍ରବଜାରର ବରିଷ୍ଠ ବ୍ୟବସାୟୀ ଦେବ ସାହୁ କୁହନ୍ତି, ଚଳିତବର୍ଷ ରାଜ୍ୟରେ ଫସଲ ହେଲାନି । ଆମେ ବାହାରୁ ପରିବା ଆଣି ଯୋଗାଉଛୁ । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com