ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ଶେଷକୃତ୍ୟ ସମ୍ପନ୍ନ: ରତନ ଟାଟା

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅବସାନ । ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟାଙ୍କ ପାର୍ଥିବ ଶରୀର । ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି । ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି । ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା ।
ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। ଏହା ପାର୍ସୀ ପରମ୍ପରାର ନିୟମ ହୋଇଥିବାରୁ ରତନ ଟାଟାଙ୍କ ଶେଷକୃତ୍ୟ ଏହି ଅନୁସାରେ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରତନ ଟାଟା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଚେହେରା ଥିଲେ ।
ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନେତା ମନ୍ତ୍ରୀଙ୍କ ସମେତ ବହୁ ଶିଳ୍ପପତି ଓ ସିନେ କଳାକାର ସ୍ବଗର୍ତ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । ମୁମ୍ବାଇ NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ କରିଛନ୍ତି ଅମିତ ଶାହ । ସେହିପରି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବଲିଉଡ୍ ଷ୍ଟାର୍ ଆମିର ଖାନ୍, କିରଣ ରାଓ ପ୍ରମୁଖ ଶେଷ ଦର୍ଶନ କରିଛନ୍ତି ।