ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ରାଜନାଥ ସିଂହ; ଯବାନଙ୍କ ପାଇଁ କହିଲେ…
ନୂଆଦିଲ୍ଲୀ: ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ରାଜନାଥ ସିଂହ । ପଶ୍ଚିମବଙ୍ଗ ଦାର୍ଜିଲିଂର ସୁକନା କ୍ୟାଣ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ପହଞ୍ଚି ଶସ୍ତ୍ର ପୂଜା କରିଛନ୍ତି । କ୍ୟାଣ୍ଟରେ ଥିବା ଆଧୁନିକ ରାଇଫଲ ଏବଂ ରକେଟ ଲଞ୍ଚର୍ର ପୂଜା କରିଛନ୍ତି । ଏହା ସହ ଯବାନଙ୍କ ମନୋବଳ ବଢାଇଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ, “ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠାରେ ଶାସ୍ତ୍ର ଏବଂ ଶସ୍ତ୍ର ଉଭୟଙ୍କୁ ପୂଜା କରାଯାଏ । ଲୁହା ଏବଂ କାଠରେ ନିର୍ମିତ ଉପକରଣ ପୂଜା କରିବା ଆମର ବିଶାଳ ପରମ୍ପରାର ପ୍ରତୀକ । କୌଣସି ବସ୍ତୁକୁ ବ୍ୟବହାର କରିବା ପୂର୍ବରୁ କିମ୍ଵା ପରେ ଆମେ ତାକୁ କୃତଜ୍ଞତା ଜଣାଉ ।” ରାଜନାଥ ପୁଣି କହିଛନ୍ତି ଯେ, ବିଜୟାଦଶମୀରେ ଭଗବାନ ରାମଙ୍କୁ ମିଳିଥିବା ବିଜୟ କେବଳ ତାଙ୍କର ନଥିଲା ଏହି ଜିତ୍ ମାନବତାକୁ ମିଳିଥିଲା । ରାବଣ ବ୍ରାହ୍ମଣ ହୋଇଥିଲେ ମଧ୍ୟ ଖରାପର ପ୍ରତୀକ ଥିଲା ।
ଭଗବାନ ରାମଙ୍କର ରାବଣ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା । ବରଂ ସେ ମାନବ ଜାତି ପାଇଁ ରାବଣକୁ ବଧ କରିଥିଲେ । ଆମେ କେବେ କୌଣସି ଦେଶ ସହ ଯୁଦ୍ଧ କରିନାହୁଁ । ଆମେ ସେତେବେଳେ ଯୁଦ୍ଧ କରୁ ଯେତେବେଳେ ଅନ୍ୟ ଦେଶ ମାନବ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଏ । ଆମ ହିତରେ କୌଣସି ଆଞ୍ଚ୍ ଆସିଲେ ବଡ଼ ପଦକ୍ଷେପ ନେବାକୁ ଆମେ କେବେ ପଛଘୁଞ୍ଚା ଦେବୁନୁ । ବୈଶ୍ଵିକ ସ୍ଥିତି ଯାହା ହେଲେବି, ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ ।