ଚଣ୍ଡୀଗଡ଼: ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି । ଏଥିପାଇଁ ଆଜି ପୁଣି ଥରେ ନାଏବ ସିଂ ସୈନୀ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନେବାକୁ ଯାଉଛନ୍ତି । ଅର୍ଥାତ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ ପରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକରେ ହରିୟାଣା ମୁଖ୍ୟମନ୍ତ୍ରୀ ପଦ ପାଇଁ ନାୟବ ସିଂହ ସୈନିଙ୍କୁ ଚୟନ କରାଯାଇଛି । ସେ ଅକ୍ଟୋବର ୧୭ ତାରିଖ ଅର୍ଥାତ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ।
ମିଳିଥିବା ସୂଚନା ଅନୁସାରେ ହରିୟାଣା କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକ କ୍ୟାବିନେଟରେ ସାମିଲ ହୋଇ ପାରିବେ । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦିଆ ଯାଇପାରିବ । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ । ସେମାନଙ୍କ ମଧ୍ୟରେ ୨ ଜଣ ଦଳିତ, ୨ ଜାଟ , ଜଣେ ବ୍ରାହ୍ମଣ, ଜଣେ ବଣିଆ, ଜଣେ ଅହିର, ଜଣେ ପଞ୍ଜାବୀ ଓ ଜଣେ କ୍ଷତ୍ରି ସମାଜର ଚେହେରା ସ୍ଥାନ ପାଇଛନ୍ତି । ଅପରପକ୍ଷେ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ।
ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ, ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ରେ ଭୋଟ୍ ଗଣତି ହୋଇଥିଲା । ସମସ୍ତ ଏକଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଥିଲା । ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା l
ସେପଟେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପରେ ପରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତାମାନଙ୍କୁ ନେଇ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ଦଳର ମୁଖିଆମାନେ ମଧ୍ୟ ଯୋଗଦେବେ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ଦଳ ଏ ଉପରେ ମାନସ ମନ୍ଥନ କରିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦଳ ମଧ୍ୟ ଅନ୍ୟ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିପାରେ। । ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ।