Uncategorizedଓଡ଼ିଶା

ଜାଗା ଦର୍ଶନ ବେଳେ ହନ୍ତସନ୍ତ ହେଉଛନ୍ତି ଅଣପଞ୍ଜୀକୃତ ହବିଷ୍ୟାଳି, କାହିଁକି ଜାଣନ୍ତୁ

ପୁରୀ: ହବିଷ୍ୟାଳିଙ୍କ ପଞ୍ଜିକରଣକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ l ଅନ୍ୟପଟେ ଯଦି ଦେଖିବା ପବିତ୍ର କାର୍ତ୍ତିକ ମାସରେ ସବୁଦିନ କାଳିଆକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ପୁରୀକୁ ଧାଇଁ ଆସିଛନ୍ତି ଶହ ଶହ ହବିଷ୍ୟାଳୀ । ମାତ୍ର ପୁରୀରେ ପାଦ ଦେଉ ଦେଉ ସେମାନଙ୍କୁ ମିଳିଛି ନିରାଶା । ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଜାଗା । ଫଳରେ ଅସହ୍ୟ ଖରାରେ ସେମାନେ ରାସ୍ତା ଉପରେ କଲବଲ ହେଉଥିବା ବେଳେ ସେମାନଙ୍କ ଦୁଃଖ କେହି ବୁଝୁ ନଥିବା ଅଭିଯୋଗ କରିଛନ୍ତି ।

ସେପଟେ ପଞ୍ଜିକରଣ ପ୍ରକ୍ରିୟାରେ ବାଦ ପଡିଥିବା ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ ଆଗରେ ଆନ୍ଦୋଳନ କରିଛନ୍ତି । ଯାହା ଫଳରେ ବୟସ୍କ ହବୀଷ୍ୟାଳି ଓ ତାଙ୍କ ପରିବାର ବର୍ଗଙ୍କ ଦ୍ବାରା ଏକ ଠେଲାଠେଲି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା । ଏଥିନିମନ୍ତେ ନିଜ ନାମ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ ଘୋଷଣା କରାଯାଇଥିଲା । ଏହି ପ୍ରକ୍ରିୟା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଗତ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ମାତ୍ର କେବଳ ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା । ଫଳରେ ବହୁ ହବିଷ୍ୟାଳୀ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି ।

ଏପରି ସ୍ଥିତିରେ ସେମାନେ ଆଜି ପୁରୀରେ ପହଞ୍ଚିଥିବା ବେଳେ ସେମାନଙ୍କୁ ରହିବାକୁ ଜାଗା ଖଣ୍ଡେ ମିଳୁନି । ଖବର ପାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନରତ ହବିଷ୍ୟାଳୀଙ୍କୁ ବୁଝାସୁଝା କରିଛନ୍ତି । ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଥିବା ସୂଚନା ମିଳିଛି । ମାତ୍ର ଏହା ପରେ ବି ଆନ୍ଦୋଳନ ଥମିନଥିବା ଜଣାଯାଇଛି । କିଛି ହବିଷ୍ୟାଳୀ ଯେକୌଣସି ପରିସ୍ଥିତିରେ ବି କାର୍ତ୍ତିକ ମାସରେ ପୁରୀରେ ରହିବେ ବୋଲି କହୁଥିବା ବେଳେ ଆଉ କିଛି କିନ୍ତୁ ନିରାଶ ହୋଇ ଘରକୁ ଫେରିବାକୁ ଗୋଡ଼ କାଢ଼ିଲେଣି ।

Related Articles

Back to top button
WP Twitter Auto Publish Powered By : XYZScripts.com