ଓଡ଼ିଶାରାଜନୀତି

ମୁରବି ଶୁନ୍ୟ ରହିଛି ଓଡିଶା ପ୍ରଦେଶ କଂଗ୍ରେସ, କାହିଁକି ଅଟକିଛି ଏଆଇସିସିର ନିଷ୍ପତି?

ଭୁବନେଶ୍ବର: ଦୀର୍ଘଦିନ ହେବ ଓଡିଶା ପ୍ରଦେଶ କଂଗ୍ରେସ ମୁରବି ଶୁନ୍ୟ ରହିଛି l ଏନେଇ ବର୍ତ୍ତମାନ ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା ଆରମ୍ଭ ହୋଇଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଦାୟିତ୍ବ ଦିଆଯାଇଛି । ତୁରନ୍ତ ଓଡ଼ିଶା ପହଞ୍ଚି ରିପୋର୍ଟ କରିବାକୁ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଏଆଇସିସି ନିର୍ଦେଶ ଦେଇଛି । ଅନ୍ୟତମ ସଦସ୍ୟ ମିନାକ୍ଷୀ ନଟ୍ଟରାଜନଙ୍କ ସହ କୋଅର୍ଡିନେଟର ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ୨୪ ନିର୍ବାଚନରେ କଂଗ୍ରେସର ୯ରୁ ୯୦ ନାରା ଫେଲ୍ ମାରିବା ପରେ ଚର୍ଚ୍ଚା ହେଉଛି କେନ୍ଦ୍ରୀୟ ନେତୃତ୍ବ ତରବରିଆ ଭାବେ ନୂଆ ମଙ୍ଗୁଆଳ ନିଷ୍ପତ୍ତି ନନେଇ ଏଥିପାଇଁ ଗଭୀର ବିଚାର ବିମର୍ଶ ଚଳାଇଛନ୍ତି । ପିସିସି ରେସରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ମହମ୍ମଦ ମୋକିମ୍ ଏବଂ ଜୟଦେବ ଜେନାଙ୍କ ଭଳି ଅଭିଜ୍ଞ ନେତାଙ୍କ ନାଁ ଥିବା କୁହାଯାଉଛି ।

ସେପଟେ ପିସିସି ଭାଙ୍ଗି ଦିଆଯିବା ପରେ ଗତ ଅଗଷ୍ଟ ୧୨ରେ AICC ସଭାପତି ମଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିଲା ଏକ ୧୪ ଜଣିଆ ଷ୍ଟିୟରିଂ କମିଟି । ପରେ ସେଥିରେ ଆଉ ୭ ଜଣଙ୍କ ନାଁ ଯୋଡ଼ା ଯାଇଥିଲେ ବି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁ କିନ୍ତୁ ସେଥିରେ ନାହିଁ । ଯେଉଁଥି ପାଇଁ ତାରା ଅସନ୍ତୁଷ୍ଟ ଥିବା କୁହାଯାଉଛି ।

ଏଣେ କିଛିଦିନ ତଳେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଥିଲେ ତାଙ୍କ ବାପା ମହମ୍ମଦ ମୋକିମ PCC ସଭାପତି ପାଇଁ ଫିଟ୍ । ହେଲେ ମୋକିମ୍ କହିଛନ୍ତି ସବୁ ନିଷ୍ପତି କେନ୍ଦ୍ରୀୟ ନେତୃତ୍ବ ଉପରେ । ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟ କଂଗ୍ରେସରେ ଏଭଳି ବିଚିତ୍ର ସ୍ଥିତି ପୂର୍ବରୁ କେବେ ବି ହୋଇନଥିଲା । କଂଗ୍ରେସ ହାଇକମାଣ୍ଡ ହୁଏତ ଓଡ଼ିଶା ନେତୃତ୍ବକୁ ଭରସାରେ ନେଇପାରୁ ନାହାନ୍ତି ।

ଅନ୍ୟପକ୍ଷରେ AICC ଯେଉଁଭଳି ଭାବେ ଓଡ଼ିଶାକୁ ଫୋକସ କରିବା କଥା ତାହା କରୁନାହାନ୍ତି ବୋଲି ମତ ଦେଇଛନ୍ତି । ପିସିସି ଭାଙ୍ଗିବା ପରେ ଷ୍ଟିୟରିଂ କମିଟିର କେବଳ ଗୋଟିଏ ବୈଠକ ଗତ ଅଗଷ୍ଟ ୨୧ ତାରିଖରେ ଅଜୟ କୁମାରଙ୍କ ନେତୃତ୍ବରେ ହୋଇଥିଲା । ଏହାପରେ ସବୁ ଯେମିତି ଠପ୍ ହୋଇଯାଇଛି । ଦେଖିବାର କଥା ନୂଆ ମଙ୍ଗୁଆଳ ନେଇ ଲାଗିରହିଥିବା ଅନିଶ୍ଚିତତାରେ କେବେ ପୂର୍ଣ୍ଣଛେଦ ପଡୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com