ଓଡ଼ିଶା

ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଟାସ୍କଫୋର୍ସ ପୁର୍ନଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି । ଏହାସହିତ ୬ଟି ଥିମେଟିକ୍ ସବକମିଟି ଗଠିତ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ଏହି ସବକମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି ।

ଟିଚର୍ସ ଏଜୁକେସନ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି-୨୦୨୦କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି ।

ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ,ଅର୍ଥ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନର ପ୍ରନ୍ସିପାଲଙ୍କୁ ଏକ୍ସଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଅନ୍ୟପଟେ ଏହି ଟାସ୍କଫୋର୍ସରେ ଏକ୍ସପର୍ଟ ସଦସ୍ୟ ଭାବେ ୟୁନିସେଫ, ସେଂଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲାଙ୍ଗୁଏଜ୍ ଲର୍ଣ୍ଣିଂ ଫାଉଣ୍ଡେସନ, ପ୍ରଥମର ପ୍ରତିନିଧିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ମନୋନୀତ ସଦସ୍ୟ ମଧ୍ୟ ରହିବେ । ସୂଚନା ଅନୁଯାୟୀ, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଖୁବଶୀଘ୍ର ଲାଗୁ କରାଯିବାକୁ ନେଇ ସରକାର ସ୍ପଷ୍ଟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com