ଓଡ଼ିଶା

ଆସୁଛି ବାତ୍ୟା ‘ଦାନା’; କେମିତି ରହିବ ପ୍ରଭାବ, କେଉଁଠି କରିବ ଲ୍ୟାଣ୍ଡଫଲ? ଜାଣନ୍ତୁ

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା । କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୫ ଟା ୩୦ ମିନିଟରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ଅବପାତ ଏବଂ ବୁଧବାର ଦିନ ବାତ୍ୟାରେ ପରିଣତ ହେବ । ଏହି ବାତ୍ୟାର ନାମ ‘ଦାନା’ ରଖାଯାଇଛି । ବର୍ତ୍ତମାନ ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଏକ ଅବପାତ ଏବଂ ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗଳାର ପୂର୍ବ କେନ୍ଦ୍ରୀୟ ଉପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ସ୍ପର୍ଶ କରିବ ।

ସେହିପରି ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ ବାତ୍ୟାର ଗତିପଥ କିପରି ରହିବ ତାହା ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ଲ୍ୟାଣ୍ଡଫଲର ପ୍ରକୃତ ସ୍ଥାନ ଜଣାପଡ଼ିବ ବୋଲି କୁହାଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ଓ ଏଥିସହ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ଚେତାବନୀ ଜାରି ଜାରି ଯାଇଛି । ଆଜି ସକାଳେ ପାରାଦୀପ, ଗୋପାଳ ଓ ବାଲେଶ୍ୱର ଉପକୂଳକୁ କିଛି ମତ୍ସ୍ୟଜୀବୀ ଫେରି ଆସିଥିବା ଜଣାଯାଇଛି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି ଦେଓରଂଜନ ସିଂହ । ସେ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି । ସମ୍ଭାବ୍ୟ ବାତ୍ୟା ଉପରେ ତୀକ୍ଷଣ ନଜର ରଖାଯାଇଛି । ୨୩ ତାରିଖରୁ ୨୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯେଉଁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ସେସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ଯାଞ୍ଚ କରିବେ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥିତ କରିବା ସହ ଗର୍ଭବତୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com