ଓଡ଼ିଶା

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ‘ଦାନା’; ୬ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ଵର: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ‘ଦାନା’। ଆଜି ଅବପାତର ରୂପ ନେବ ସାମ୍ଭାବ୍ୟ ବାତ୍ୟା । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ଆଶଙ୍କା ରହିଛି । ସେପଟେ ବାତ୍ୟା ପାଇଁ ଅଧା ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଉପରେ ଏହାର ସିଧା ପ୍ରଭାବ ପଡ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଗଭୀର ଅବପାତ । ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ମୁହାଁ ହେବ। କେନ୍ଦ୍ରାପଡାରୁ ସାଗର ଦ୍ବୀପ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ଏହାର ପ୍ରଭାବରେ ୨୩, ୨୪ ଓ ୨୫ ତାରିଖରେ ନିର୍ଧୂମ ଛେଚିବ ବର୍ଷା । ଘୂର୍ଣ୍ଣିଝଡ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ। ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର ।

ବାତ୍ୟାର ସଫଳ ମୁକାବିଲା ପାଇଁ ବିଏମସି ପକ୍ଷରୁ ସମନ୍ବୟ ବୈଠକ ହୋଇଛି । ବର୍ଷାର ପରିମାଣ ବଢ଼ିଲେ ଖାଲୁଆ ତଥା ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକରେ ବିଏମସି ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଯଦି କୌଣସି ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେଙ୍କୁ କଣ୍ଟ୍ରୋଲରୁମକୁ ଫୋନ୍‌ କରି ଜଣାଇବେ । କଣ୍ଟ୍ରୋଲ ରୁମରେ ୩ ସିପ୍ଟରେ ୧୦ ଜଣ ଲେଖାଁଏ କର୍ମଚାରୀ ନିୟୋଜିତ ହେବେ । ନିଜେ କମିଶନର ଏହାର ତଦାରଖ କରିବେ । ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ସମୁଦ୍ର ଭିତରେ ଫସିଥିବା ଦୁଇଟି ମାଛ ଧରା ଡଙ୍ଗା ସମେତ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com