ଓଡ଼ିଶା

୧୮କିମି ବେଗରେ ମାଡି ଆସୁଛି । କେଉଁ ଜିଲ୍ଲାରେ କେତେ ରହିବ ପବନର ବେଗ, ଦେଖନ୍ତୁ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ଆଜି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସମୁଦ୍ରରୁ ବଳ ଗୋଟାଇ ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ଆଗକୁ ବଢୁଛି । ଓଡ଼ିଶା ଉପକୂଳ ମୁହାଁ ହୋଇଛି ଦାନା । ଏହାସହ ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ଏହା ପ୍ରଭାବରେ ଧାମରା, ପାରଦୀପ, କେନ୍ଦ୍ରାପଡ଼ା, ରାଜନଗରରେ ବର୍ଷା ଆରମ୍ଭ ହୋଇସାରିଛି ।

ତେବେ ଆସନ୍ତାକାଲି ସକାଳେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡ଼ା ରାଜନଗର କିମ୍ବା ଧାମରା ପାଖାପାଖି ଲ୍ୟାଣ୍ଡ କରିବାର ସମ୍ଭାବନା ଥିବାବେଳେ, ଏହି ଭୀଷଣ ବାତ୍ୟା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି କହିଛି ଆଇଏମ୍‌ଡି । ତେଣୁ ଉତ୍ତର ଓଡ଼ିଶାରେ ବେଶୀ କୋପ ଦେଖାଇବ ବାତ୍ୟା । ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ ବୋଲି ଅନୁମାନ କରାଯାଇଛି ।

ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ କେତେ ରହିବ ପବନର ବେଗ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର । ମୟୂରଭଞ୍ଜରେ ୮୦-୯୦ ଓ ପୁରୀରେ ପବନର ବେଗ ରହିପାରେ ୬୦-୮୦ କିଲୋମିଟର । ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବ । ଏହାସହ ସୁନ୍ଦରଗଡ ଓ ସାଉଥ ଝାଡଖଣ୍ଡରେ ୫୦ରୁ ୬୦କିମି ଥିବା ବେଳେ ଅନୁଗୁଳ, ଗଞ୍ଜାମ, ନୟାଗଡ, ବୌଦ୍ଧ ଓ ସମ୍ବଲପୁରରେ ୪୦-୫୦କିମି ରହିବ ପବନର ବେଗ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ଆକଳନ । ଏହା ଫଳରେ କେତେକ ସ୍ଥାନରେ ପବନରେ ଗଛ ଉପୁଡିପାରେ ଓ ଗଛ ଡାଳ ଭାଙ୍ଗିବା ନେଇ କରାଯାଇଛି ସତର୍କ ।

Related Articles

Back to top button
WP Twitter Auto Publish Powered By : XYZScripts.com