ଓଡ଼ିଶା

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ; ବର୍ଷାକୁ ନେଇ ୩ ଜିଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ସହିତ ଏହା କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଆଉ କିଛି ଘଣ୍ଟା ପରେ ଏହା ଆହୁରି ଦୁର୍ବଳ ହେବା ସାଙ୍ଗକୁ ଗଭୀର ଅବପାତ ରୂପ ନେବ । ତେଣୁ ଏହା ପ୍ରଭାବରେ ସ୍ଥଳଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୩ ଜିଲାକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହି ଜିଲାଗୁଡ଼ିକ ହେଉଛି ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ। ସେହିପରି ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଘର, କଟକରେ ବି ବର୍ଷା ହେବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ରାଜଗନିକାରେ ୧୫୬, ମାର୍ଶାଘାଇରେ ୧୧୦, ରାଜନଗରରେ ୧୦୦ ମିମି ବର୍ଷା ହୋଇଛି । ବାଲେଶ୍ଵର ଜିଲାର ଔପଦାରେ ୧୦୯, ବାସୁଦେବପୁର ୧୧୦, ପାରାଦୀପ ୭୬.୪, ଡେରାବିଶ ୭୨, ଭଦ୍ରକ ୭୦.୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଲ ହୋଇଛି । ବାତ୍ୟା ପରର ସ୍ଥିତି ସମୀକ୍ଷା କଲେରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୬ ହଜାର ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି । ବତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଗ୍ରାଉଣ୍ଡରେ ସ୍ଥିତି ତଦାରଖ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com