ଓଡ଼ିଶା

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ୩ଟି ଜିଲା ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଝଡ଼ ଯୋଗୁଁ ଗଛ ଓ ବିଜୁଳି ଭିତ୍ତିଭୂମି ବ୍ୟାପକ ନଷ୍ଟ ହୋଇଛି । ବାଲେଶ୍ବର ଜିଲାର ଅଧା ଅଞ୍ଚଳ ଅନ୍ଧାରରେ ରହିଛି । ପଡୋଶୀ ଭଦ୍ରକ ଜିଲା ସହ ସଂଲଗ୍ନ ବାଲେଶ୍ବର ଜିଲାର ୬ଟି ବ୍ଲକ୍‌ରେ ବ୍ୟାପକ ବିଜୁଳି ଭିତ୍ତିଭୂମି ଉଜୁଡ଼ି ଯାଇଛି । ବାଲେଶ୍ବର ଜିଲାର ସୋର, ସିମୁଳିଆ, ବାହାନଗା, ଔପଦା, ଖଇରା ଓ ନୀଳଗିରି ବ୍ଲକ ଅଞ୍ଚଳରେ ବାତ୍ୟା ସର୍ବାଧିକ କ୍ଷତି ଘଟାଇଛି । ସୋର ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ଗଛ ଉପୁଡ଼ି ପଡ଼ିଛି ।

ଉପରୋକ୍ତ ବିଭିନ୍ନ ବ୍ଲକରେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବାକୁ ୨୪ ଘଣ୍ଟାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ । ତିନିଟି ଜିଲ୍ଲାରେ ଶହ ଶହ ମାଟିଘର ଭାଙ୍ଗିଛି । ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର । ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଏହାବ୍ୟତୀତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ନେଇ ସୂଚନା ରହିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସବୁ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା ସେ ସବୁକୁ ହଟାଯାଇଛି । ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡ଼ିକରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ । ରେଳସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି। ସେହିପରି ବିମାନ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍‌ ସ୍ପିରିଟ୍‌ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍‌, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com