ନୂଆଦିଲ୍ଲୀ: ଭିଟାମିନ୍ D3 ଖାଉଥିଲେ ସାବଧାନ। କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି ଏହି ମେଡିସିନ୍। ବଜାରରେ ଉପଲବ୍ଧ ଔଷଧ ଉତ୍ପାଦର ଗୁଣବତ୍ତାକୁ ନେଇ କେନ୍ଦ୍ରୀୟ ଔଷଧ ନିୟାମକ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ଲାଇଫ୍ ମ୍ୟାକ୍ସ କ୍ୟାନସର ଲାବୋରେଟୋରିଜ୍ ଦ୍ୱାରା ନିର୍ମିତ ବହୁଳ ଭାବେ ବ୍ୟବହୃତ କ୍ୟାଲସିୟମ ସପ୍ଲିମେଣ୍ଟ ଶେଲକାଲ ୫୦୦ ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି । ମୋଟ ୪୯ଟି ଔଷଧ ନମୁନାକୁ ‘ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ ବୋଲି ବିବେଚନା କରାଯାଇଛି l ଯେଉଁଥିରେ ପାରାସିଟାମୋଲ୍, ଅକ୍ସିଟୋସିନ୍ ଏବଂ ଫ୍ଲୁକୋନାଜୋଲ୍ ଭଳି ବହୁଳ ବ୍ୟବହାର ଔଷଧ ରହିଛି ।
ସିଡିଆରଏର ଯାଞ୍ଚରେ ପାଖାପାଖି ୩ ହଜାର ନମୁନା ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୧.୫% ଔଷଧ ନିମ୍ନମାନର ବୋଲି ଜଣାପଡିଛି । ଏହାବ୍ୟତୀତ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବା ୪୯ଟି ଔଷଧର ବିସ୍ତୃତ ବିବରଣୀ ଏହି ରିପୋର୍ଟରେ ଦିଆଯାଇଛି। ଏହି ତାଲିକାରେ ଆଲକେମ୍ ହେଲ୍ଥ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ ଓ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ ଭଳି ପ୍ରତିଷ୍ଠିତ କମ୍ପାନିର ବିଭିନ୍ନ ଉତ୍ପାଦ ରହିଛି । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ରାଜୀବ ସିଂହ ରଘୁବଂଶୀ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ବ୍ୟାଚରୁ ଔଷଧ ନମୁନା ବିଫଳ ହେବାର ଅର୍ଥ ନୁହେଁ ଯେ ସେହି ନାମରେ ବିକ୍ରି ହେଉଥିବା ସମସ୍ତ ଉତ୍ପାଦ ନିମ୍ନମାନର, କାରଣ କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟାଚକୁ ନିମ୍ନମାନର ବୋଲି ବିବେଚନା କରାଯାଏ ।
ଜନସାଧାରଣଙ୍କ ସୁରକ୍ଷା ପାଇଁ ସିଡିଆରଏର ପ୍ରତିଶ୍ରୁତିବଦ୍ଧତାର ଅଂଶ ସ୍ୱରୂପ ଏହି ନକଲି ଏବଂ ଏନଏସକ୍ୟୁ ଔଷଧକୁ ବ୍ୟାଚ୍ ଭିତ୍ତିରେ ପ୍ରତ୍ୟାହାର କରାଯାଇଛି । ଏଥିରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସରୁ ମେଟ୍ରୋନିଡାଜୋଲ ଟାବଲେଟ ଏବଂ ରେନ୍ବୋ ଲାଇଫ୍ ସାଇନ୍ସେସ୍ ପକ୍ଷରୁ ଡୋମ୍ପେରିଡୋନ୍ ଟାବଲେଟ୍ ରହିଛି । କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା ଉତ୍ପାଦିତ ପାରାସିଟାମୋଲ ବଟିକାର ମଧ୍ୟ ଗୁଣବତ୍ତା ସମସ୍ୟା ରହିଥିବା ଅନୁସନ୍ଧାନରେ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ରୀୟ ଡ୍ରଗ୍ ମାନକ ରକ୍ଷଣାବେକ୍ଷଣ ସଂଗଠନ ପ୍ରତ୍ୟେକ ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ । ଯାହା ପରେ ପ୍ରତି ମାସରେ ଗୁଣାତ୍ମକ ପରୀକ୍ଷା ରିପୋର୍ଟ ପ୍ରକାଶ ପାଏ । ଅଗଷ୍ଟ ମାସରେ ୫୩ଟି ମେଡିସିଲ୍ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା l