ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଛି ଦିନରେ ହେବ ବିଧାନସଭା ନିର୍ବାଚନ l ଏଥିପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ଲାଗି ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ସେପଟେ ନିର୍ବାଚନରେ ଶାସକ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଘାଡ଼ୀ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ । ହେଲେ ଉଭୟ ମେଣ୍ଟ ଦଳର ଆସନ ବୁଝାମଣା ଏଯାଏ ତୁଟିନାହିଁ । ବର୍ତ୍ତମାନ ସୁଦ୍ଧା ମହାବିକାଶ ଅଘାଡ଼ୀ ୨୯ ଏବଂ ମହାୟୁତି ୫୩ ଆସନରେ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ମହାବିକାଶ ଅଘାଡ଼ୀର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟି ମେଣ୍ଟରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି ।
କୁହାଯାଉଛି ଯେ, ଦୁଇ ମେଣ୍ଟ ଦଳ ନିଜ ସହଯୋଗୀ ଦଳଗୁଡ଼ିକ ସହିତ ଆସନ ବୁଝାମଣାରେ ଫସି ରହିଛନ୍ତି। ଆସନ ନେଇ କୌଣସି ଦଳ ମଧ୍ୟରେ ସହମତି ହୋଇପାରୁ ନାହିଁ। ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁ ନ ଥିବା ଜଣାପଡ଼ିଛି। ତଥାପି ସୋମବାର ଅପରାହ୍ନ ସୁଦ୍ଧା ପ୍ରାର୍ଥୀ ଘୋଷଣା ସରିବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ରରେ ୨୮୮ ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ସମସ୍ତ ଆସନରେ ଭୋଟଗ୍ରହଣ କରାଯିବ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା ହେବ। ମଙ୍ଗଳବାର ଅକ୍ଟୋବର ୨୯ ଅପରାହ୍ନ ୩ଟା ନାମାଙ୍କନପତ୍ର ଦାଖଲର ଶେଷ ସମୟ ରହିଛି ।