ରାଜଧାନୀରେ ୨ଟି ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୫ଟି ଦୋକାନ
ଭୁବନେଶ୍ଵର: ୧ ନଂ ହାଟର ଭୂତଳ ବଜାରରେ ଅଗ୍ନିକାଣ୍ଡ ଘଟିଛି । ମାର୍କେଟ ବିଲ୍ଡିଂରେ ଥିବା ଏହି ଭୂତଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ରହିଛି । ଯାହାଫଳରେ ୨ଟି ଶାଢ଼ି ଦୋକାନ ଜଳି ପାଉଁଶ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁକୁ ଆୟତ୍ତ କରିବା ଲାଗି କର୍ମଚାରୀମାନେ ନାକେଦମ ହୋଇଥିଲେ ।
୧୦ଟି ଅଗ୍ନିଶମ ଗାଡ଼ି ସହାୟତାରେ ପ୍ରାୟ ୬ ଘଣ୍ଟା ଧରି କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥିବାରୁ ଅନ୍ୟ ଦୋକାନଗୁଡ଼ିକୁ ଏହା ବ୍ୟାପିପାରି ନ ଥିଲା । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଶର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ୨ଟି ଶାଢ଼ି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଗତକାଲି ରାତିରେ ଭୁବନେଶ୍ବର ବାପୁଜୀନଗରରେ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ଏହି ଅଗ୍ନିକାଣ୍ଡରେ ବାପୁଜୀ ନଗରରେ ଥିବା ୩ ଟି ଭେଣ୍ଡିଂ ଜୋନ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି, ନା ବାଣ ଫୁଟାରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଅଗ୍ନିକାଣ୍ଡରେ ୩ଟି ସାଇକେଲ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ଛୋଟ ପିଲାଙ୍କ ରେସିଂ ସାଇକେଲଠୁ ବଡ଼ ସାଇକେଲ ଯାଏଁ ବିକ୍ରି କରୁଥିବା ଦୋକାନ ମାଲିକ ସଂଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଆଉ ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳନବେଳେ ସାଢେ଼ ୮ଟାରେ ଜଳିଗଲା ଦୋକାନ । ସ୍ଥାନୀୟ ଲୋକେ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ତେବେ କେତେ କ୍ଷୟକ୍ଷତି ହୋଇଛି, ସ୍ପଷ୍ଟ ହୋଇନାହିଁ ।