ନୂଆଦିଲ୍ଲୀ: ଅଳ୍ପ କିଛି ଦିନ ପରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ l ତେବେ ଏଇ ନିର୍ବାଚନ ପୂର୍ବରୁ ବୟସକୁ ନେଇ ବିବାଦ ଦେଖାଦେଇଛି l ଆଉ ଏହି ବୟସ ବିବାଦରେ ଫସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ୭ ବର୍ଷ ବଢିଥିବା ଜଣାପଡିଛି ।
ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ । କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ ।
ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି । ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ । ସେପଟେ ଏହାର ଜବାବରେ ଜେଏମ୍ଏମ୍ ନେତା ମନୋଜ ପାଣ୍ଡେ କହିଛନ୍ତି, ଜେଏମଏମ୍ କିଛି ଲୁଚାଏ ନାହିଁ । ଆମେ ସବୁ ଦସ୍ତାବିଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ । ସେତେବେଳେ ନିର୍ବାଚନ ଅଧିକାରୀ ଚୁପ୍ ବସିଥିବା ବେଳେ ଏବେ ବିଜେପି ନିଜେ ହାରୁଥିବା ଜାଣି ଷଡଯନ୍ତ୍ର କରିଛି । ବିଜେପିର ବହୁ ନେତା ଫର୍ଜି ଡିଗ୍ରୀ ଦାଖଲ କରିଥିବା ଆମେ ଜାଣିଛୁ ବୋଲି ସେ କହିଛନ୍ତି ।