ଆମେରିକାର ଇସ୍କନରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ; ବାତିଲ କଲା ଇସ୍କନ ସ୍ନାନ ଯାତ୍ରା !
ଭୁବନେଶ୍ୱର: ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଏକ ବଡ଼ ଖବର ସାମ୍ମନାକୁ ଆସିିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ରଥଯାତ୍ରା ଆୟୋଜନ ବାତିଲ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଗଜପତି ମହାରାଜା ଇସ୍କନକୁ ଚିଠି କରିଥିଲେ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା ନକରିବାକୁ ଗଜପତି ମହାରାଜା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ।
ସେପଟେ ଏହାକୁ ନେଇ ଇସ୍କନକୁ ଚେତାବନୀ ଦେଇଛି କଳିଙ୍ଗ ସେନା । ପରମ୍ପରା ସଂସ୍କୃତିକୁ ବଦଳାଇ ବାକୁ ଚେଷ୍ଟା କଲେ ଇସ୍କନ ମନ୍ଦିର ବନ୍ଦ କରିଦିଆଯିବ । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଇଛି ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି କିଛି ଏଭଳି ଚେତାବନୀ ଦେଇଛି କଳିଙ୍ଗ ସେନା । ତେବେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶୃତିରୁ ଓହରି ଏଥର ଇସ୍କନ ପୁଣି ଆମେରିକାର ହ୍ୟୁଷ୍ଟେନରେ ଆସନ୍ତା ୩ ତାରିଖରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବ ବୋଲି ଘୋଷଣା କରିଥିଲା ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ରାରିଆଡୁ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା । ଏହାକୁ ନେଇ ପ୍ରତିବାଦ କରି ଇସ୍କନକୁ ଚିଠି ଲେଖିଥିଲେ ଗଜପତି ମହାରାଜା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ କହି ତାଗିଦ୍ କରି କହିଥିଲେ । ତେବେ ଏହାପରେ ଇସ୍କନ ଆସନ୍ତା ନଭାମ୍ବର ୩ ହେବାକୁ ଥିବା ସ୍ନାନ ଯାତ୍ରାକୁ ବାତିଲ କରିଛି । ହେଲେ ରଥଯାତ୍ରା ବାତିଲ୍ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।