ଓଡ଼ିଶା

‘ଅକ୍ଷର ଭୂମି’ ଆଗରେ ନିର୍ମାଣ ହେବ ‘ଓଡ଼ିଆ ଅସ୍ମିତା ଭବନ’: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ‘ଓଡ଼ିଆ ଅସ୍ମିତାକୁ ନେଇ ବଡ଼ ଘୋଷଣ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ l ସେଥିପାଇଁ ‘ଅକ୍ଷର ଭୂମି’ ଆଗରେ ନିର୍ମାଣ ହେବ ‘ଓଡ଼ିଆ ଅସ୍ମିତା ଭବନ’ । ଭୁବନେଶ୍ୱର ଗଜପତି ନଗରରେ ‘କଳାମଣ୍ଡଳ’ ପରିସରରେ ଥିବା ଏହି ‘ଅକ୍ଷରଭୂମି’ ଆଗରେ ‘ଓଡ଼ିଆ ଅସ୍ମିତା’ ତା’ର ମହିମା ଗାଇବ। ସମଗ୍ର ଓଡ଼ିଶାକୁ ଜାବୁଡ଼ି ତା’ର ଗରିମା ପ୍ରଦର୍ଶନ କରିବ । ଏନେଇ ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ଓ ପ୍ରତିଶୃତି ଦେଇଥିଲେ, ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଚଳିତ ନଭେମ୍ବର ମାସ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଏହି ସମୟରେ ସେ ଅନେକ ପ୍ରକଳ୍ପର ଶୁଭାରମ୍ଭ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ‘ଓଡ଼ିଆ ଅସ୍ମିତା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ‘ଅକ୍ଷର ଭୂମି’ ଆଗରେ ସାଢ଼େ ୪ ଏକର ଜମି ବିବାଦ ଭିତରେ ଥିଲା । ସେ ଅଡ଼ୁଆ ତୁଟି ତାହା ସରକାରଙ୍କ ହାତକୁ ଆସିବା ପରେ ସରକାର ଏବେ ସେଠି ତାଙ୍କ ସ୍ୱପ୍ନକୁ ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭବନ କେବଳ ସରକାରୀ ଭବନ ହୋଇ ରହିବ ନାହିଁ । ଏଠି ଶାସନ, ପ୍ରଶାସନିକ କାର୍ଯ୍ୟ ବା ଫାଇଲ୍‌ ଚାଷ ହେବନି । ବରଂ ୩୬୦ ଡିଗ୍ରୀରେ ସମଗ୍ର ଓଡ଼ିଶାକୁ ପ୍ରଦର୍ଶିତ କରାଯିବା ବ୍ୟବସ୍ଥା ହେବ । ୪ରୁ ୫ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ ହେବ । ଯେଉଁଠିକୁ ବୁଲି ଆସିଲେ ଜଣେ ଓଡ଼ିଶା ଓ ‘ଓଡ଼ିଆ ଅସ୍ମିତା’ ସମ୍ପର୍କରେ ଜାଣିପାରିବେ । ଗୋଟିଏ ମହଲାରେ ଜନଜାତି, ଗୋଟିଏ ମହଲାରେ ପର୍ଯ୍ୟଟନ, ଅନ୍ୟଟିରେ ବରପୁତ୍ର ବା ମହାପୁରୁଷଙ୍କ ସମ୍ପର୍କିତ ତଥ୍ୟକୁ ଭିନ୍ନ ଭିନ୍ନ ମାଧ୍ୟମରେ ଉପସ୍ଥାପିତ କରାଯିବ । ଏପରିକି ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମାଧ୍ୟମରେ ୩୬୦ ଡିଗ୍ରୀରେ ଓଡ଼ିଶା ଚିତ୍ରକୁ ପ୍ରଦର୍ଶନ କରାଯିବ ।

ସେଥିପାଇଁ ସରକାର ବଜେଟ୍‌ରେ ୨୦୦ କୋଟିର ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ସୂରଜ କହିଛନ୍ତି । ଗତ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ୨ ତାରିଖ ସନ୍ଧ୍ୟାରେ ‘ଅକ୍ଷର ଭୂମି’ ଲୋକାର୍ପିତ ହୋଇଥିଲା । ୬ଟି ପଥର କାନ୍ଥରେ ଖଣ୍ଡୋଲାଇଟ୍‌ ପଥରରେ ଓଡ଼ିଆ ଅକ୍ଷରଗୁଡ଼ିକ ସୁନ୍ଦର ଭାବେ ଖୋଦେଇ ହୋଇ ସ୍ଥାପିତ ହୋଇଥିଲା । ପଥର କାନ୍ଥ ମଝିରେ ବଡ଼ ଆକାରରେ ଓଡ଼ିଆ ଅକ୍ଷର ‘ଅ’ ରହିଛି । ସେଥିରେ ଲାଗିଥିବା ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ଗୁଡ଼ିକ ସନ୍ଧ୍ୟାରେ ଅକ୍ଷର କାନ୍ଥକୁ ଅଧିକ ଆକର୍ଷଣୀୟ କରୁଛି । ‘ଅକ୍ଷର ଭୂମି’ ଠିକ୍‌ ମଝି ମଣ୍ଡପରେ ମୁକ୍ତେଶ୍ୱର ମନ୍ଦିରରେ ଥିବା ତୋରଣ ପରି ତିଆରି ହୋଇଛି, ଯାହାର ମଝିରେ ଓଡ଼ିଆ ବର୍ଣ୍ଣମାଳାର ବଡ଼ ‘ଅ’ ଅକ୍ଷରଟି ସ୍ପଷ୍ଟ ଦିଶୁଛି, ଏହା ଅନ୍ୟତମ ଆକର୍ଷଣ ସୃଷ୍ଟି କରୁଛି । ଏହା ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍ପାନ୍‌ ଇନ୍‌ଫ୍ରା ବିଲ୍‌ଡର୍ସ ଦ୍ୱାରା ନିର୍ମାଣ ହୋଇଥିଲା । ୪୦ ମିଟର ଲମ୍ବ ଓ ଚଉଡ଼ାରେ ଏହି ସ୍ମାରକୀ ଓଡ଼ିଆର ପରିଚୟ ଦେଉଛି । ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଏହା ନିର୍ମାଣ ହୋଇଥିଲା । ଏବେ ଆଗକୁ ଯାଇ ତା’ ଆଗରେ ‘ଓଡ଼ିଆ ଅସ୍ମିତା ଭବନ’ ଛିଡ଼ା ହେବ l

Related Articles

Back to top button
WP Twitter Auto Publish Powered By : XYZScripts.com