ଭୁବନେଶ୍ୱର: ବିସ୍ଫୋରଣ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କେନ୍ଦ୍ରାପଡା ମହାକାଳପଡା ଆୟୋଜିତ ଏକ ସଭାରେ ଅତନୁ କହିଛନ୍ତି, ପୁଣିଥରେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି । ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ବାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି । ଆଉ ମାତ୍ର ଆଠ-ଦଶଟା ବିଧାୟକ ଦରକାର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି ଲୋକେ ବିଶ୍ୱାସ କରି ପାରୁନାହାନ୍ତି । ୫ ମାସ ହେଲାଣି ସମସ୍ତ ବିକାଶ କାମ ଠପ ହୋଇ ପଡିଛି ।
ଖୁବଶୀଘ୍ର ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତନୁ କହିଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲା ଆସିକା ବିଜେପି ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ବିଜେଡିର ୨୭ ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଅଛନ୍ତି । ବିଧାୟକ ସରୋଜଙ୍କ ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ୩ ଦିନ ତଳେ ବିଜେଡିର ୨୭ ବିଧାୟକ ଏକାଠି ହୋଇଥିଲେ। ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ରହିଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ ୨୦୨୯ ବେଳକୁ କଂଗ୍ରେସ ୫ ଫାଳ ହୋଇଯାଇଥିବ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛିନ୍ତି, ବର୍ତ୍ତମାନ ସୁଦ୍ଧା ବିଜେଡି ସହ ଆମର ମେଣ୍ଟ ହୋଇନାହିଁ । ଯଦି ସେମାନେ ଆମ ସହ ମେଣ୍ଟ କରିବାକୁ ଚାହାନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ସୂଚନା ଅନୁଯାୟୀ, ଏହା ପୂର୍ବରୁ ମୁନା ଖାନ୍ ଓ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଥିଲେ ।